🗂 Crime | 🕒 26 Jun 2026, 00:25 IST
ପୁରୀ,୨୬ /୬: ସତ୍ୟବାଦୀ ଥାନା ପୋଲିସ ଏକ ମୋଟରସାଇକେଲ୍ ଚୋରି ମାମଲାର ପର୍ଦ୍ଦାଫାଶ କରି ଜଣେ ଅଭ୍ୟାସଗତ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ୍କୁ ଜବତ କରିବାରେ ସଫଳତା ହାସଲ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମଗିରି ରୋଡ୍ ଗୋଲାସାହିଠାରେ ରହୁଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ନୀଳକଣ୍ଠ ଜେନା ଓରଫ ବାଟୁଆ ଓରଫ ବଳିଆ । ଗତ ୨୧.୦୬.୨୦୨୬ ରିଖ ରାତି ପ୍ରାୟ ୧୦ଟା ସମୟରେ ସାକ୍ଷୀଗୋପାଳ ଷ୍ଟେସନ ରୋଡ୍ ବାସିନ୍ଦା ଦେବାଶିଷ ମହାପାତ୍ର ସାକ୍ଷୀଗୋପାଳ ରେଳୱେ ଗେଟ୍ ନିକଟସ୍ଥ ଏକ ହୋଟେଲକୁ ରାତ୍ରି ଭୋଜନ ପାଇଁ ଯାଇଥିଲେ। ସେ ନିଜର 'HF Deluxe' ମୋଟରସାଇକେଲ୍ (ନଂ- OD-13-L-0504) ହୋଟେଲ ସମ୍ମୁଖରେ ପାର୍କିଂ କରିଥିଲେ। ମାତ୍ର ଖାଇସାରି ଫେରିବା ପରେ ଗାଡ଼ିଟି ସେଠାରେ ନଥିବା ଦେଖିବାକୁ ପାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଗାଡ଼ି ନମିଳିବାରୁ ସେ ଏହି ସମ୍ପର୍କରେ ସତ୍ୟବାଦୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି (କେସ୍ ନଂ- ୨୭୪/୨୦୨୬, ଧାରା- 303(2) BNS) ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତ ନୀଳକଣ୍ଠ ଜେନାକୁ ଗିରଫ କରାଯିବା ସହ ତା’ ନିକଟରୁ ଚୋରି ହୋଇଥିବା ମୋଟରସାଇକେଲ୍ଟିକୁ ଜବତ କରାଯାଇଛି। ଅଭିଯୁକ୍ତ ନୀଳକଣ୍ଠ ଜେନା ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ସଂଗୀନ ମାମଲା ରହିଛି l ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇ ସତ୍ୟବାଦୀ CJJD CUM J.M.F.C ଅଦାଲତକୁ ଚାଲାଣ କରାଯାଇଛି ଏବଂ ମାମଲାର ଅଧିକ ତଦନ୍ତ ଜାରି ରହିଛି।
No comments yet.