🗂 Local | 🕒 26 Jun 2026, 13:41 IST
ପୁରୀ ୨୬/୬: ଭେନେଜୁଏଲାର ଭୟଙ୍କର ଭୂକମ୍ପରେ ପ୍ରଭାବିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନୀଳାଦ୍ରି ବେଳାଭୂମିରେ ସେ ଏକ ୬ ଫୁଟ ଉଚ୍ଚତାର ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରି ବିପନ୍ନଙ୍କ ସହ ସମଗ୍ର ବିଶ୍ୱବାସୀ ଏହି ସଙ୍କଟ ସମୟରେ ଠିଆ ହୋଇଥିବା ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା ଭାସ୍କର୍ଯ୍ୟରେ "ଭୂକମ୍ପ ବିପନ୍ନଙ୍କୁ ସାହାଯ୍ୟ କରନ୍ତୁ" (Help the Earthquake Victims) ବୋଲି ଏକ ମର୍ମସ୍ପର୍ଶୀ ବାର୍ତ୍ତା ପ୍ରଦର୍ଶନ କରାଯାଇଛି।
ଏହି କଳାକୃତି ମାଧ୍ୟମରେ ବାଲୁକା ଶିଳ୍ପୀ ଭୂକମ୍ପରେ ପ୍ରାଣ ହରାଇଥିବା ପରିବାର ଗୁଡ଼ିକୁ ଗଭୀର ଶୋକବ୍ୟକ୍ତ କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିଶ୍ୱ ଭ୍ରାତୃଭାବ ଓ ମାନବିକତାର ବାର୍ତ୍ତା ବହନ କରୁଥିବା ଏହି ବାଲୁକା କଳାକୁ ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ୍ର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ସୁଦର୍ଶନ କହିଛନ୍ତି, "ଏଭଳି ଏକ କଠିନ ସମୟରେ ଭେନେଜୁଏଲାର ଜନସାଧାରଣଙ୍କ ପାଇଁ ମୋର ହୃଦୟରୁ ପ୍ରାର୍ଥନା ଉଦ୍ଦିଷ୍ଟ। ଏହି ବାଲୁକା କଳା ମାଧ୍ୟମରେ ମୁଁ ପୀଡ଼ିତ ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଏବଂ ସହଯୋଗର ହାତ ବଢ଼ାଇଛି। ଭଗବାନ ସେମାନଙ୍କୁ ଏହି ଦୁଃଖ ସହିବାକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।"
ସୂଚନାଯୋଗ୍ୟ ଯେ, ସୁଦର୍ଶନ ପଟ୍ଟନାୟକ ସର୍ବଦା ନିଜ କଳା ମାଧ୍ୟମରେ ବିଶ୍ୱ ସ୍ତରୀୟ ମାନବୀୟ, ସାମାଜିକ ଏବଂ ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିଆସିଛନ୍ତି। ବିଶ୍ୱର ପ୍ରାୟ ୬୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା ଶିଳ୍ପ ପ୍ରତିଯୋଗିତା ଓ ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରି ସେ ଦେଶ ପାଇଁ ଗୌରବ ଆଣିଛନ୍ତି।
ବିଗତ ଶତାବ୍ଦୀର ସବୁଠାରୁ ଭୟଙ୍କର ଭୂମିକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ଭେନେଜୁଏଲା । ବହୁ ଜୀବନ ଏବେ ବି ଧ୍ବଂସାବଶେଷ ତଳେ ଚାପି ହୋଇରହିଛନ୍ତି । ଏହି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଏବେ ବଢି 235ରେ ପହଞ୍ଚିଥିବା ଦେଶର ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । 200ରୁ ଅଧିକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ।
No comments yet.