🗂 Art & Culture | 🕒 29 Jun 2026, 07:04 IST
ପୁରୀ ୨୯/୬ : ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସ୍ନାନଯାତ୍ରା । ସ୍ନାନ ବେଦୀରେ କାଳିଆ ସାଆନ୍ତଙ୍କ ଆଦ୍ୟ ଯାତ୍ରାକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଏଣେ ବର୍ଷେ ପରେ ପୁଣି ସ୍ନାନ ମଣ୍ଡପକୁ ଆସିବେ ଚତୁର୍ଦ୍ଧା ମୂରତି । ଭାବ ବିନୋଦିଆଙ୍କ ଆସିବା ବାଟକୁ ବର୍ଷେ ଧରି ଅପେକ୍ଷା କରିଛି ସ୍ନାନବେଦୀ । ମହାପ୍ରଭୁଙ୍କ ମାନବୀୟ ଲୀଳାର ଆଦ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନସିଂହାସନରୁ ଆସି ସ୍ନାନ ବେଦୀରେ ବିରାଜନ୍ତି ଦାରୁବ୍ରହ୍ମ । ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରନ୍ତି ଶ୍ରୀବିଗ୍ରହ ।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବାର ମାସରେ ତେର ପର୍ବ ପାଳନ ହୋଇଥାଏ । ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ପର୍ବ ହେଉଛି ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା । ପ୍ରତିବର୍ଷ ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହିଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପାରିକ ରୀତିନୀତିରେ ବେଦଧ୍ବନି ପୂର୍ବକ ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରାଯାଏ । ଏହାପରେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ବାକି ବର୍ଷ ସାରା ତାଙ୍କୁ ବିମ୍ବସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।
ଶ୍ରୀଜୀଉଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ, ଏହାକୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ମହାରାଜା ଇନ୍ଦ୍ରଦ୍ୟୁମ ଓ ରାଣୀ ଗୁଣ୍ଡିଚା, ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ନାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।
ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ନାନଲୀଳା ଜାତି, ଧର୍ମ, ବର୍ଣ୍ଣ ନିର୍ବଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ବିପ୍ରହର ଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ବଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସୁଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେନାପଟା ଓ ବାହୁଟି ଲାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।
ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ମଣ୍ଡପରେ ମଙ୍ଗଳାଳତି ମଧ୍ୟ ହୋଇଥାଏ । ଏଥିପାଇଁ ସକାଳ ସମୟରୁ ସୁଦର୍ଶନ ସମେତ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି କରାଯାଇଥାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବାବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତ ପାହଚ ଉପରେ ଟାହିଆ ଲାଗି ହେବାପରେ ଦ୍ବିତୀୟ ମଙ୍ଗଳାର୍ପଣ ହୁଏ । ତା'ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ । ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି । ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି । ଗରାବଡୁ ସୁବର୍ଣ୍ଣ କଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅବ୍ୟବହୃତ ହୋଇ ରହିଥିବା ସ୍ବର୍ଣ୍ଣକୂପରୁ ଜଳ ଆଣନ୍ତି ।
ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ ବୋଲି ବିଶ୍ବାସ ରହିଛି । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ପୂର୍ବ ଦିନରୁ ରହିଥିବା ଏହି ସୁବାସିତ ଜଳକୁ ଅଭିମନ୍ତ୍ରିତ କରାଯାଇ ଦାରୁବ୍ରହ୍ମଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ ।
ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ପରେ ଗଜାନନବେଶରେ ସଜ୍ଜିତ ହୁଅନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ମହାରାଷ୍ଟ୍ରର ଜଣେ ଭକ୍ତ, ଗଣପତି ଭଟ୍ଟ ଥରେ ଶ୍ରୀକ୍ଷେତ୍ରର ମହିମା ବିଷୟରେ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ହେଲେ ଦାରୁ ବିଗ୍ରହଙ୍କ ଦର୍ଶନ କରି ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ବୀକାର କଲେ ଏବଂ ଦୁଃଖରେ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜାନନବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜାନନବେଶ ଧାରଣ କରନ୍ତି ।
ସ୍ନାନ ପୂର୍ଣ୍ଣମୀ ରୀତିନୀତି ସରିବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ । ତା'ପରେ ଏହି ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ବରରେ ପଡ଼ନ୍ତି । ଏହାକୁ ଅନବସର ବା ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଶ୍ରୀଜୀଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜା ପାଉଥିବା ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରନ୍ତି ।
No comments yet.