🗂 Art & Culture | 🕒 06 Jul 2026, 19:59 IST
ପୁରୀ ୬/ ୭ : ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରତିଟି ଜିନିଷର ରହିଛି ସ୍ୱତନ୍ତ୍ରତା । ରଥଠୁ ଆରମ୍ଭ କରି ପଥ ପର୍ଯ୍ୟନ୍ତ ସମସ୍ତ ଜିନିଷର ମାହାତ୍ମ ଅବର୍ଣ୍ଣନୀୟ । ତେବେ ରଥଯାତ୍ରା ପାଇଁ ସମସ୍ତଙ୍କ ନଜର ବିଶାଳକାୟ ତିନି ରଥ ଉପରେ ଥିବା ବେଳେ ରଥକୁ ଆକର୍ଷଣୀୟ କରିଥାଏ ରଙ୍ଗ ବେରଙ୍ଗର କନା । କାଳିଆ ଠାକୁରଙ୍କ ରଥଯାତ୍ରା ପାଇଁ କାଠରେ ନିର୍ମାଣ ହୁଏ ତିନି ରଥ । ହେଲେ ତିନି ରଥକୁ ଅପୂର୍ବ ଦିବ୍ୟ ରୂପ ଦିଏ କନା । ଭକ୍ତମାନେ ଦୂରରେ ଥାଇ ମଧ୍ୟ କନା ରଙ୍ଗରୁ ରଥକୁ ଚିହ୍ନି ପାରନ୍ତି । କନାକୁ ମଣ୍ଡଣି କରି ତିନି ରଥକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରନ୍ତି ମହାପ୍ରଭୁଙ୍କ ପାରମ୍ପରିକ ଦରଜୀ ସେବକ । ତେବେ ଦରଜୀ ସର୍ଦାରଙ୍କ ଅଧୀନରେ କନା କାର୍ଯ୍ୟରେ ୧୭ ଜଣ ଦରଜୀ ସେବକ ନିୟୋଜିତ ରହିଛନ୍ତି । ରଥ ପାଇଁ ଆବଶ୍ୟକ ହେଉଥବା ୧୨୫୦ ମିଟର କନା ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥାଏ ।
ଦରଜୀ ସର୍ଦାରଙ୍କ ତତ୍ୱାବଧାନରେ ନିର୍ମିତ ହୁଏ ରଥ ଘୋଡଣି ଓ ସଜା କନା । ରଥ ଅନୁଯାୟୀ ରଙ୍ଗର ପ୍ରକାର ଭେଦ କେଉଁ ଅନାଦି କାଳରୁ ସ୍ଥିରୀକୃତ ହୋଇଛି । କନା ମଣ୍ଡଣି କରି ଜରି ଜମ୍ବୁରା ଲଗାଯାଇ ରଥର ଘେର କପଡ଼ାକୁ ନେଇ କନକ ମୁଣ୍ଡି ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଏ । ଏପଟେ ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ବାନା ସେବାରେ ୩୬୫ ଦିନ ଦରଜୀ ସେଵକମାନେ ନିୟୋଜିତ ରହିଥାନ୍ତି ।
ରଥ ପାଇଁ ନାଲି, ସବୁଜ, ହଳଦିଆ ଓ କଳା କନା ବ୍ଯବହାର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ହଳଦିଆ ରଙ୍ଗର କନା, ବଳଭଦ୍ରଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ସବୁଜ କନା ଏବଂ ସୁଭଦ୍ରାଙ୍କ ରଥ ପାଇଁ ୪୦୦ ମିଟର ନାଲି ଓ କଳା କନା ଲାଗେ । ଏହି କନାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବେଳେ କନାକୁ ସଜାଇବା ପାଇଁ ଦରକାର ପଡୁଥିବା ଜମ୍ବୁରା, ଲେସ୍, ଚିକ୍କଣ ଫୁଲ, ଦୁବ, ଝାଲର, ନିଜେ ଦରଜୀ ସର୍ଦ୍ଦାର ଆଣିଥାନ୍ତି ।
ଆଜିବି ସେହି ପାରମ୍ପରିକ ପଦ୍ଧତିରେ ଦରଜୀ ସେବକମାନେ କନାକୁ ଗଜ ଓ ଗିରାରେ ମାପ କରନ୍ତି । ଏକ ଗଜ ୩ ଫୁଟ ବିଶିଷ୍ଟ ହୋଇଥିବାରୁ ସେହି ମାପରେ ରଥର ବିଭିନ୍ନ ଅଂଶ ପାଇଁ ସୁସଜ୍ଜିତ କନା ପ୍ରସ୍ତୁତ କରାଯାଏ ।
ତେବେ ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଏହି କାର୍ଯ୍ୟ ପାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବହୁତ୍ ଅଳ୍ପ ପାଉଣା ମିଳିଥାଏ । କାରିଗର ମାନଙ୍କୁ ଦିନକୁ ମାତ୍ର ୨୦୦ ଟଙ୍କା ଓ ଦରଜୀ ସର୍ଦ୍ଦାରଙ୍କୁ ଦିନକୁ ମାତ୍ର ୪୦୦ ଟଙ୍କା ପାଉଣା ମିଳେ । ତେବେ ସ୍ୱଳ୍ପ ପାଉଣା ସତ୍ତ୍ୱେ ଆମେ କାମକୁ ଗୁରୁତ୍ବ ଦେଇଥାଉ ।
ଦରଜୀ ସର୍ଦ୍ଦାର ପୁଣି କହିଛନ୍ତି, 6 ବର୍ଷ ଧରି ଜଗନ୍ନାଥଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି । ପାଉଣା ମିଳୁ କିମ୍ବା ନମିଳୁ ଜଗନ୍ନାଥଙ୍କ ସେବା ଆଗକୁ ଜାରି ରଖିବି ।
ତେବେ ରଥ କାର୍ଯ୍ୟରେ ନିୟୋଜିତ ମହାରଣା ସେବକ କିମ୍ବା ଭୋଇ ସେବକଙ୍କୁ ଦୈନିକ 1500ରୁ 2000 ଟଙ୍କା ମିଳୁଥିବାରୁ ସେ ତାଙ୍କ ପାଉଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
No comments yet.