🗂 Art & Culture | 🕒 12 Jul 2026, 23:53 IST
ପୁରୀ ୧୩/୭ : ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଅଣସର ଘରେ ପାରମ୍ପରିକ ଉପଚାର ପରେ ଜ୍ୱରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଅଣସରର ତ୍ରୟୋଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ସେବାୟତ । ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରାଯାଇଛି । ଏପଟେ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଗଜପତି ।
ଅଣସରର ଦ୍ୱାଦଶୀ ତିଥି କ୍ଷୟ ପଡ଼ିଥିବାରୁ ଆଜି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରାଜପ୍ରସାଦ ବିଜେ ନୀତି। ବର୍ଷତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟଡ଼ୋର ସହ ଅଣସର ସମୟରେ ଲାଗି ହୋଇଥିବା ଚନ୍ଦନ, କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତା ଓ ପତି ମହାପାତ୍ର ସେବାୟତ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ସେମାନେ ଶ୍ରୀନଅରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରିଥିଲେ । ଏହାପରେ ଶ୍ରୀନଅରରେ ରାଜ ପୁରୋହିତଙ୍କ ଦ୍ୱାରା ଶାଢ଼ୀ ବନ୍ଧା ଯାଇଥିଲା ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି, "ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ମିଳିବା ପରେ ସମସ୍ତେ ବେଶ୍ ଖୁସି ଅଛନ୍ତି । ମହାପ୍ରଭୁ ରଥଯାତ୍ରାରେ ଯାଇ ନିଜ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । କୋଟି କୋଟି ଭକ୍ତ ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳା ଦେଖିବାକୁ ଚାହିଁ ବସିଛନ୍ତି । ଚଳିତ ରଥଯାତ୍ରାରେ ଯେଭଳି ଶୃଙ୍ଖଳିତ ପହଣ୍ଡି ହୋଇପାରିବ ସେନେଇ ମୁଁ ଦଇତାପତି ସେବକଙ୍କୁ ପରାମର୍ଶ ଦେଇଛି । ସେହିପରି ରଥ ଉପରେ ମହାପ୍ରଭୁଙ୍କ ସମ୍ମୁଖ ଭାଗରେ କେହି ସେବାୟତ ଠିଆ ନେବାକୁ ମଧ୍ୟ କହିଛି । ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସେବକ ସଂଖ୍ୟା ଅନୁସାରେ ରଥ ଉପରେ ମହାପ୍ରଭୁଙ୍କ ସେବା ଥିବା ସେବାୟତ ମାନେ କେବଳ ଉପସ୍ଥିତ ରହିବାକୁ କହିଛି । ମହାପ୍ରଭୁ ରଥଯାତ୍ରା ଯେଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି ।"
ଦଇତାପତି ସେବକ କୀର୍ତ୍ତି ପ୍ରକାଶ ଦାସ ମହାପାତ୍ର କହିଛନ୍ତି, "ଆଜି ରାଜ ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଗଜପତିଙ୍କୁ ସୂଚନା ଦିଆଯାଇଛି । ରଥଯାତ୍ରା ପ୍ରସ୍ତୁତିକୁ ଜୋରଦାର କରିବାକୁ କୁହାଯାଇଛି । ଆଜି ରାତିରେ ମହାପ୍ରଭୁଙ୍କ ଘଣା ଲାଗି ନୀତି ପରେ ବନକ ଲାଗି ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁ ନବଯୌବନ ଦର୍ଶନ ଦେବେ । ରଥଯାତ୍ରା ପାଇଁ ସମସ୍ତ ସେବାୟତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।"
ଅଣସର ପଞ୍ଚମୀ ତିଥିରେ ଫୁଲୁରି ତେଲ, ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି, ଦଶମୀରେ ଚକାବିଜେ, ଦଶମୂଳମୋଦକ ଓ ଚନ୍ଦନ ଲାଗି ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହଙ୍କ ଅତ୍ୟଧିକ ଜଳରେ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି । ୧୫ ଦିନ ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ସେବାର ପୂଜା ଚାଲିଥାଏ । ତେବେ ସୁସ୍ଥ ହେବା ପରେ ମହାପ୍ରଭୁଙ୍କୁ ଘଣାଲାଗି ଓ ବନକ ଲାଗି କରାଯିବ । ଆସନ୍ତା ୧୪ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ତ୍ରୟୋଦଶୀ ତିଥିରେ ଶ୍ରୀନଅରରେ ରାଜପ୍ରସାଦ ବିଜେ ସ୍ୱତନ୍ତ୍ର ରୀତିନୀତି ଭାବେ ସଂପାଦିତ ହେବାପରେ ଗଜପତି ମହାରାଜା ସେବାୟତଙ୍କ ସହ ରଥଯାତ୍ରାକୁ ସୁରୁଖୁରୁରେ ସଂପାଦନ ନେଇ ଆଲୋଚନା ମଧ୍ୟ କରିଥିଲେ ।
No comments yet.