🗂 Art & Culture | 🕒 22 May 2025, 04:17 IST
ପୁରୀ ଜୁନ୍ ୫ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଶୃଙ୍ଖଳିତ ନୀତି କାନ୍ତି ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ହୋଇଥିବା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପହଣ୍ଡି ସମୟରେ କେବଳ ନିର୍ଦ୍ଦିଷ୍ଟ ତଥା ଆବଶ୍ୟକୀୟ ସେବାୟତ ରହିବେ। ଠାକୁରଙ୍କ ପହଣ୍ଡିର ଉତ୍ତମ ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ। ଏଥିରେ ଶ୍ରୀମନ୍ଦିର ପୋଲିସ ମଧ୍ୟ ସହଯୋଗ କରିବେ। ବରିଷ୍ଠ ଅଧିକାରୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ, ଚାରମାଳ ସମୀକ୍ଷା ନିରୀକ୍ଷଣ ମଧ୍ୟ ଦାୟିତ୍ୱରେ ରହିବେ। କୌଣସି ଅଘଟଣକୁ ଯେପରି ଏଡାଯାଇ ପାରିବ ସେ ଉପରେ ଗୁରୁତ୍ଵ ଦିଆଯାଇଛି। ସ୍ନାନ ପୂର୍ଣ୍ଣିମା ସମୟରେ ଶୃଙ୍ଖଳିତ ଜଳଲାଗି ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ପରିଚାଳନା କମିଟି ଗଠନ ନେଇ ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ଗଜପତି ମହାରାଜା ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ। ତେବେ ପରିଚାଳନା କମିଟି ଗଠନ ହୋଇନଥିବାରୁ ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜା, କାର୍ଯ୍ୟକାରୀ ଅଧ୍ୟକ୍ଷ ମୁଖ୍ୟ ଶାସନସଚିବ, ଆଇନ ବିଭାଗ ଏବଂ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ନେଇ ଖୁବଶୀଘ୍ର ଏକ ବୈଠକ ହେବ। ସେପଟେ ଜୁନ୍ ୧୧ ରେ ସ୍ନାନ ପୂର୍ଣ୍ଣିମା ଥିବାରୁ ପ୍ରାତଃ ୪ଟା ୩୦ ରେ ମଙ୍ଗଳାର୍ପଣ ପରେ ୫ଟା ରୁ ୭ଟା ପହଣ୍ଡି ସମୟ ରହିଛି। ୧୨ଟା ୨୦ ରୁ ୧ଟା ୪୫ ଜଳ ବିଜେ, ପୂଜା ଓ ସ୍ନାନ, ୩ଟା ୩୦ ସମୟରେ ଛେରାପହଁରା, ୪ଟା ୩୦ ରେ ହାତୀବେଶ, ୭ଟା ୩୦ ରୁ ୧୦ଟା ୩୦ ସାହାଣମେଲା ଦର୍ଶନ ରହିଛି। ରାତ୍ର ୧୧ ଟା ୩୦ ରୁ ୨ ଟା ମଧ୍ୟରେ ବାହୁଡା଼ ପହଣ୍ଡି, ସୁନା ଚିତା ଓ ରାହୁ ରେଖା ମଇଲମ ୨ଟା ୩୦ ରେ ରହିଛି। ତେବେ ଉକ୍ତ ଦିନର ନୀତି ଅନୁଯାୟୀ ନୀତି ନିର୍ଘଣ୍ଟ ରେ ପରିବର୍ତ୍ତନ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
No comments yet.