ରଥକାଠ ଅଭାବ ରୁ ବୌଦ୍ଧରୁ ଆସିଲା ୩୨ ଖଣ୍ଡ କାଠ; ହେଲେ ଅଖ ପାଇଁ ନୁହେଁ ଯଥେଷ୍ଟ - NILACHALA SAMACHAR
Article Image

ରଥକାଠ ଅଭାବ ରୁ ବୌଦ୍ଧରୁ ଆସିଲା ୩୨ ଖଣ୍ଡ କାଠ; ହେଲେ ଅଖ ପାଇଁ ନୁହେଁ ଯଥେଷ୍ଟ

🗂 Art & Culture | 🕒 25 May 2025, 21:12 IST

ପୁରୀ ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଭୋଇ ସେବକ ମାନେ ଚକ‌ ନିର୍ମାଣ ପାଇଁ ସମସ୍ତ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ସାରି ବିଶ୍ଵକର୍ମାଙ୍କୁ ଯୋଗାଇଛନ୍ତି ‌। ଆସନ୍ତା ଜୁନ୍ ୧୧ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ତିନି ରଥର ଚାରି ନାହାକା ଉଠିବ । ଏଣୁ ରଥ ନିର୍ମାଣ


କାରୀଙ୍କ ହାତକୁ ଆଉ ଫୁରସତ ନାହିଁ । ଯଥେଷ୍ଟ ସମୟ ପୂର୍ବରୁ ତିନି ରଥର ନିର୍ମାଣ କାର୍ଯ୍ୟ କିଭଳି ଶେଷ କରାଯିବ ସେନେଇ ରଥ ନିର୍ମାଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେଉଛନ୍ତି ସମସ୍ତ ନିର୍ମାଣକାରୀ । ତେବେ ଶନିବାର ତିନି ରଥର ଚଉଦ ନାହାକା କାର୍ଯ୍ୟ ଆରମ୍ଭ ହେବା ପରେ ବିଶ୍ଵକର୍ମା ମାନେ ବାରିସିରେ ହାଣି ୧୪ଟି କାଠକୁ ଚଉପଟ କରି ପ୍ରସ୍ତୁତ କରୁଛନ୍ତି । ରଥରେ ଚଉଦ ନାହାକା ବୁଲିଲେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ ବୋଲି ମୁଖ୍ୟ ବିଶ୍ଵକର୍ମା କହିଛନ୍ତି । ସେପଟେ ତିନି ରଥର ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଭୋଇ ସେବକମାନେ ଚକ ନିର୍ମାଣ ପାଇଁ ସମସ୍ତ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଶେଷ କରିଛନ୍ତି ।


ସେପଟେ ଆସନ୍ତା ଶୀତଳଷଷ୍ଠୀ ପରଦିନ ତିନି ରଥର ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବ । ରଥର ୨୧ଟି ଅଖରୁ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନୋଟି ଅଖ ସହିତ ଛଅଟି ଚକର ସଂଯୋଗ କରାଯାଇ ଡେରାଯାଇଥିଲା। ତେବେ ଆବଶ୍ୟକତା ଅନୁଯାୟୀ ଅଖ କାଠ ରଥଖଳାରେ ପହଞ୍ଚି ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟ ବିଶ୍ଵକର୍ମା । ଏହାରି ଭିତରେ ଅଖ ଓ ଦଣ୍ଡା ନିର୍ମାଣ ପାଇଁ ପୁରୀରେ ପହଞ୍ଚିଛି ରଥକାଠ । ଆଜି ଏକ ଟ୍ରକ ଯୋଗେ ବୌଦ୍ଧ ବନଖଣ୍ଡରୁ ଅଖ ଓ ଦଣ୍ଡା ନିର୍ମାଣ ପାଇଁ ୩୨ ଖଣ୍ଡ ୪୦ ଫୁଟିଆ ଧଉରା ଓ ଅସନ କାଠ ଆସିଛି। ଖୁବଶୀଘ୍ର ଏହି କାଠ ଗୁଡିକରେ ଅଖ ଓ ଦଣ୍ଡା ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ରୂପକାର ସେବକ ମାନେ ତାଳଧ୍ଵଜ ରଥର ୧୬ଟି ଗୁଜ, ଦର୍ପଦଳନ ରଥର ୧୨ଟି ଓ ନନ୍ଦିଘୋଷ ରଥର ୧୬ଟି ଗୁଜର ଖୋଦେଇ କାର୍ଯ୍ୟରେ ଲାଗିଛନ୍ତି। ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଦଣ୍ଡା ବିଡିଆ କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି ।



💬 Leave a Comment

🗨️ Approved Comments

No comments yet.

🔗 Share this article: