🗂 Art & Culture | 🕒 27 May 2025, 14:17 IST
ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଏବଂ ବିଭିନ୍ନ ଅଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଭାସୀ ମାଧ୍ୟମରେ ବୈଠକରେ ଉପସ୍ଥିତ ରହିଥିଲେ। ଆଗାମୀ ସ୍ନାନ ଯାତ୍ରା ଓ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇପାରିବ ସେନେଇ ବିଶେଷ ଆଲୋଚନା ହୋଇଥିଲା। ଛତିଶା ନିଯୋଗ ଦ୍ବାରା ଅନୁମୋଦିତ ସ୍ନାନ ଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥା ବଳୀକୁ ଏହି ବୈଠକରେ ଅନୁମୋଦିତ କରାଯାଇଥିଲା। ସ୍ନାନ ଯାତ୍ରା ଓ ରଥଯାତ୍ରାର ବ୍ୟବସ୍ଥା ବଳୀ କିଭଳି ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଗୁରୁତ୍ବ ଦିଆଯାଇଥିଲା। ପୂର୍ବବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଘଟିଥିବା ଅଘଟଣର ଯେଭଳି ପୁନରାବୃତ୍ତି ନହୁଏ ସେନେଇ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ପହଣ୍ଡି ନୀତିକୁ ଶୃଙ୍ଖଳିତ କରିବା ପାଇଁ କେତେ ସଂଖ୍ୟକ ସେବାୟତ ରହିବେ ସେ ଉପରେ ଖୁବଶୀଘ୍ର ସଂଖ୍ୟା ନିରୂପଣ କରାଯାଇ ସ୍ଥିର କରାଯିବ। ରଥ ଉପରେ ଅଣ ସେବାୟତ ଚଢିବା ଏବଂ ମୋବାଇଲ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯେକେହି ଏହାକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଆବାସିକ ଘର ଗୁଡ଼ିକର ଡିଜାଇନ ଓଡିଆ ସ୍ଥାପତ୍ୟ କଳା ଅନୁଯାୟୀ କରାଯିବ। ସେହିପରି ଘର ଗୁଡ଼ିକର ଉଚ୍ଚତା ମଧ୍ୟ ନିର୍ଦିଷ୍ଟ କରାଯିବ। ଯାହା ଫଳରେ ଶ୍ରୀମନ୍ଦିର ଐତିହ୍ୟ ଉପରେ ପ୍ରଭାବ ପଡ଼ିବ ନାହିଁ। ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ପାଇଁ ନାଟମଣ୍ଡପ ରୁ ହୁଣ୍ଡି ସ୍ଥାନାନ୍ତର ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତି ଓ ଜମିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ରତ୍ନଭଣ୍ଡାରର ମରାମତି, ଶ୍ରୀମନ୍ଦିର ଉନ୍ନତି କରଣ କାର୍ଯ୍ୟ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
No comments yet.