🗂 Local | 🕒 03 Jun 2025, 01:51 IST
ପୁରୀ ସୁରକ୍ଷା ପରିଷଦ ପକ୍ଷରୁ ପରିବେଶ ସୁରକ୍ଷା ସପ୍ତାହ ପାଳନ ଅବସରରେ ବାଲୁଖଣ୍ଡ ଅଭୟାରଣ୍ୟ ସୁରକ୍ଷା ଶୀର୍ଷକ ଆଲୋଚନା ଚକ୍ର ଓଡ଼ିଶା ସଙ୍ଗୀତ ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ପରିଷଦର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଆଲୋଚକ ଭାବେ ଅନ୍ନଦା ସାମାଜିକ ଅନୁଷ୍ଠାନର ନିର୍ଦ୍ଦେଶିକା ରୁଚିମିତ୍ରା ଜଗଦେବ ମହାପାତ୍ର , ସାମାଜିକ କର୍ମୀ ପ୍ରତିଭା ତ୍ରିପାଠୀ, ଉପ ବନାଞ୍ଚଳ ଅଧିକାରୀ ପ୍ରଦୀପ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ ମତ ପ୍ରକାଶ ପାଇଥିଲା ୧୯୮୪ ମସିହାରେ ବାଲୁଖଣ୍ଡ - କୋଣାର୍କ ଅଭୟାରଣ୍ୟ ହଜାର ହଜାର ସଂଖ୍ୟାରେ କୃଷ୍ଣସାର ମୃଗ ମାନଙ୍କ ସୁରକ୍ଷା ନିମନ୍ତେ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ଏହି ଅଭୟାରଣ୍ୟ ୮୭ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ । ଦୁଃଖ ଓ ପରିତାପର ବିଷୟ ଏହି ଅଭୟାରଣ୍ୟରୁ ନିୟମିତ କାଠ ଚୋରୀ ହେଉଛି ଏବଂ ଏହା ମଧ୍ୟରେ ଥିବା କିଛି ଘରୋଇ ଜମି ପ୍ଲଟିଂ ହୋଇ ବିକ୍ରୟ କରାଯାଉଥିବାରୁ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଗତ ଫନି ବାତ୍ୟା ସମୟରେ ଜନ ମାନସକୁ ସୁରକ୍ଷା ପ୍ରଦାନ କରି ନିଜର ଅସ୍ତିତ୍ବ ହରାଇଥିବା ବାଲୁଖଣ୍ଡ ଅଭୟାରଣ୍ୟ ଏବେ ଶ୍ରୀହୀନ । ଫନି ବାତ୍ୟା ପରେ ବାଲୁଖଣ୍ଡ ଅଭୟାରଣ୍ୟର ଛଅ ଶହ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିଲା , ସେହି ଗଛଗୁଡ଼ିକରୁ କେତେ ପ୍ରତିଶତ ଜୀବିତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭୟାରଣ୍ୟର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କୌଣସି କରତ କଳ ରହି ପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟର ନିର୍ଦ୍ଦେଶ ଥିଲେ ସୁଧା ବାଲୁଖଣ୍ଡ ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ କରତକଳ ଥିବା ନେଇ ବକ୍ତାମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ସନ୍ତୋଷ କୁମାର ମହାନ୍ତି, ଡଃ କାର୍ତ୍ତିକ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ , ତ୍ରିବିକ୍ରମ ମହାପାତ୍ର , ବିଚିତ୍ର ରଞ୍ଜନ ମହାପାତ୍ର ଓ ଆଇନଜୀବୀ ରଚିତା ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଜି ସନ୍ଧ୍ୟା 6ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
No comments yet.