ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା 2025 ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। - NILACHALA SAMACHAR
Article Image

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା 2025 ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

🗂 Art & Culture | 🕒 09 Jun 2025, 21:39 IST

ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା 2025 ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କର ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ପୁରୀ ଟାଉନ ହଲ୍ ଠାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ। କୋଭିଡ ପାଇଁ ଡରିବାର ଆବଶ୍ୟକତା ନାହିଁ। AI ସିସିଟିଭି କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରାଯିବ। ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ କମାଣ୍ଡ ସେଣ୍ଟର ସହ ସବୁ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ୱାର ରୁମ୍ ହେବ। ସେହିପରି ୨୩୦ ରୁ ୨୫୦ ଅଧିକ ବସ ଚଳାଚଳ କରିବ। ବୈଠକରେ ବିଦ୍ୟୁତ୍, ସ୍ଵାସ୍ଥ୍ୟ ଓ ପରିମଳ ବିଭାଗକୁ ନେଇ ସରଗରମ ଆଲୋଚନା ହୋଇଥିଲା।



ଆସନ୍ତା ଜୁନ ୨୬ ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଥିଲେ। ରଥ ଯାତ୍ରା ଉତ୍ସବ ସମୟ ଭିତରେ ଯଦି କୌଣସି ଅଘଟଣ ରେ କାହାର ମୃତ୍ୟୁ ହୁଏ ବୀମା କମ୍ପାନୀ କ୍ଷତିପୂରଣ ରାଶି ପ୍ରଦାନ କରିବ।

ସେହିପରି ଶ୍ରୀ ମନ୍ଦିର ପଶ୍ଚିମ ଦ୍ଵାର ଦେଇ ପୁରୀ ବାସୀଙ୍କୁ ଛାଡ଼ିବା ଓ ଗୁଣ୍ଡିଚା ମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ସୁନୀଲ ମହାନ୍ତି ପ୍ରସ୍ତାବ ଦେଇଥିଲେ। ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ ସୂତ୍ରରେ ମିଳିଚି। ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି। ତାମିଲନାଡୁରୁ ଗ୍ରେଡ ଏ ମାନର ଚନ୍ଦନ କାଠ ଆସିଛି। ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ନବୀକରଣ କରାଯାଇଛି।


ରଥଯାତ୍ରା ଅବକାଶରେ କୋଭିଡ ପାଇଁ ବ୍ୟସ୍ତ ହେବାର ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବୈଠକ ରେ କହିଥିଲେ।ଲୋ ଭାରିଆଣ୍ଟର କୋଭିଡ ଥିବାରୁ ଏହା ବ୍ୟାପିବାର ଆଶଙ୍କା କମ୍। ତେବେ ରାଜ୍ୟରେ ସମୁଦାୟ ୪୯ ଟି ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୩୪ ଟି ଆକ୍ଟିଭ କେସ ରହିଛି l ଥଣ୍ଡା, କାଶ ଲକ୍ଷଣ ଥିବାଲୋକ ଗହଳିକୁ ଯାଆନ୍ତୁ ନାହିଁ। ମାସ୍କ ମଧ୍ୟ ବ୍ୟବହାର କଲେ ଭଲ। ହେଲେ କୋଭିଡ କୁ ନେଇ କିଛି କଟକଣା ଓ ନିୟମାବଳି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ମାର୍ଗଦର୍ଶିକା ଆସିନାହିଁ।

ରଥଯାତ୍ରାକୁ ଆସୁଥିବା ଭକ୍ତ ମାନେ ସଚେତନ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। 



ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଂସଦ, ବିଧାୟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଓ ଏସପି ଯୋଗ ଦେଇଥିଲେ। 


 ରଥଯାତ୍ରା ସମୟର ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ୍ କରିଡ଼ର ହେବ। ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା କରାଯିବ। ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୦ ଲକ୍ଷ ପାଣି ବୋତଲ ଓ ପାଉଚ୍ ପାଣିର ବ୍ୟବସ୍ଥା କରାଯାଇଛି। ସାହି ଗଳି କନ୍ଦିରେ ରାସ୍ତାଘାଟ ମରାମତି, ମଶା ଧୁଆଁ ସ୍ପ୍ରେ, ଷ୍ଟ୍ରିଟ୍ ଲାଇଟ୍ ମରାମତି ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ ସହ ୧୪ଟି ବର୍ଷା ଜଳ ଜମି ରହୁଥିବା ସ୍ଥାନରେ ୩୦ ଟି ଉଚ୍ଚ କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ମେସିନ୍ ରଖାଯିବ। ମାଳତୀପାଟପୁରରେ ଟୁରିଷ୍ଟ ବସ ଓ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଯାତ୍ରୀବାହୀ ବସ ତାଳବଣିଆରେ ପାର୍କିଂ କରିବ। ରଥଯାତ୍ରା ସମୟରେ ବିଭିନ୍ନ ପାର୍କିଂ ସ୍ଥାନରୁ ମାଗଣା ଅଟୋ ସେବା ଯୋଗାଇ ଦିଆଯିବ। ସବୁ ବସରେ ରହିବ ରେଟ୍ ଚାର୍ଟ ମଧ୍ୟ ଲଗାଯିବ। ରଥଯାତ୍ରା ସମୟରେ ୩୬୫ ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର, ୧୦ଟି ଏଟିଭି ମେସିନର ବ୍ୟବସ୍ଥା କରାଯିବ। ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। 

ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଏଲ୍ ଇ ଡି ଡିସ ପ୍ଲେ ବ୍ୟବସ୍ଥା ହେବ ଖରା ଓ ଗୁଳୁଗୁଳି ପାଇଁ ଅଧିକ ସ୍ପ୍ରୀଙ୍କଲର ଓ ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହେବେ। ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବେ। ରଥଯାତ୍ରା ଦ୍ବିତୀୟ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗ ଗୁଡିକ ଦେଇଥିବା ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ଓ ସଚେତନ ନାଗରିକ ମାନେ ବୈଠକରେ ଉପସ୍ଥିତ ଥିଲେ।





💬 Leave a Comment

🗨️ Approved Comments

No comments yet.

🔗 Share this article: