ଜ୍ବରରେ ପୀଡିତ ଶ୍ରୀଜିଉ ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ, ପୂଜା ପାଉଛନ୍ତି ପଟି ଦିଅଁ - NILACHALA SAMACHAR
Article Image

ଜ୍ବରରେ ପୀଡିତ ଶ୍ରୀଜିଉ ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ, ପୂଜା ପାଉଛନ୍ତି ପଟି ଦିଅଁ

🗂 Art & Culture | 🕒 12 Jun 2025, 19:45 IST


ପୁରୀ ଜ୍ବରରେ ପୀଡିତ ମହାବାହୁ । କଷ୍ଟ ଲାଘବ ପାଇଁ ସେବାୟତଙ୍କ ଦ୍ବାରା ଚାଲିଛି ଗୁପ୍ତସେବା । ଅଣସରର ଗୁପ୍ତନୀତି ଆରମ୍ଭ । ସ୍ନାନବେଦିରେ ୧୦୮ ଗରା ଜଳ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ମହାପ୍ରଭୁ ଅଣସର ପିଣ୍ଡିରେ ରହିଛନ୍ତି l ମହାପ୍ରଭୁଙ୍କ ପ୍ରତିବଦଳରେ ପଟିଦିଅଁ ପୂଜା ପାଉଛନ୍ତି l


ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପାରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ । ସେପଟେ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଇଛନ୍ତି ପଟି ଦିଅଁ । ଅଣସର ୧୫ ଦିନ ଶ୍ରୀବିଗ୍ରହଙ୍କ ବଦଳରେ ପଟି ଦିଅଁ ଶ୍ରୀମନ୍ଦିରରେ ପୂଜା ପାଇବେ।


ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ବରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରା ପରେ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବର ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ କରାଯାଇଛି । ମହାପ୍ରଭୁ ଦଇତା ପତି ସେବକମାନେ ଏହି ଉପଚାର ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଏହି ଉପଚାର ବିଧି ୧୫ ଦିନ ଧରି ଚାଲିବ । ଏହାକୁ ମହାପ୍ରଭୁଙ୍କ ଅଣସର ନୀତି କୁହାଯାଏ । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟିଦିଅଁ ପୂଜା ପାଆନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେଵୀ ସୁଭଦ୍ରାଙ୍କ ସ୍ଥାନରେ ଦେଵୀ ଭୁବନେଶ୍ଵରୀଙ୍କୁ ପୂଜା କରାଯାଏ ।


କହିଛନ୍ତି, ‘ଏହି ଅଣସର ୧୫ ଦିନ ଶ୍ରୀବିଗ୍ରହଙ୍କ ବଦଳରେ ପଟି ଦିଅଁ ଶ୍ରୀମନ୍ଦିରରେ ପୂଜା ପାଇବେ । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ ସେହି ନୀତି ପଟି ଦିଅଁଙ୍କ ଠାରେ ହୋଇଥାଏ । ଅଣସରର ପ୍ରଥମ ଦିନରେ ଦଇତା ପତି ସେବକମାନେ ଅସୁସ୍ଥ ମହାପ୍ରଭୁଙ୍କ ଉପଚାର ଓ ସ୍ଵତନ୍ତ୍ର ଗୁପ୍ତ ପୂଜା ବିଧି ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ବିଜେ କରାଯିବା ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା, ରାହୁ ରେଖା ଉଲାଗି ହୋଇଛି । ଦଇତା ପତି ସେବକମାନେ ଅଣସର ଘରେ ପ୍ରବେଶ କରି ମହାପ୍ରଭୁ ଗୁପ୍ତ ଉପଚାର ଓ ପୂଜା ବିଧି ଆରମ୍ଭ କରିଛନ୍ତି । ଏହି ଅଣସରରେ ମହାପ୍ରଭୁଙ୍କ ଠାରେ ଚକଟା ଭୋଗ, ଫଳ ଭୋଗ ହୋଇଥାଏ । ଶ୍ଵେତ ପୁଷ୍ପ ଲାଗି ହୋଇଥାଏ । ତୁଳସୀ ଲାଗି ହୋଇ ନ ଥାଏ ।’


ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ । ମନ୍ଦିରକୁ ଶୂନଶାନ ରଖାଯାଏ । ତେବେ ଅଣସର ୧୫ ଦିନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗୁପ୍ତ ନୀତି ହୋଇଥାଏ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗି ସହ ପରମ୍ପରା ଅନୁଯାୟୀ ବିଶେଷ ଦିନ ଗୁଡ଼ିକରେ ଫୁଲୁରିତେଲ ଲାଗି, ଔଷଧ ଲାଗି, ଚକା ବିଜେ, ଚନ୍ଦନ ଲାଗି ଓ ଘଣା ଲାଗି ନୀତି ହୋଇଥାଏ । ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଥିବା ପଟି ଦିଅଁଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ମଦନ ମୋହନ, ଲକ୍ଷ୍ମୀ, ସରସ୍ଵତୀ, ରାମକୃଷ୍ଣ ନୃସିଂହ ଭଗବାନଙ୍କୁ ପୂଜା କରାଯାଏ ।

💬 Leave a Comment

🗨️ Approved Comments

No comments yet.

🔗 Share this article: