ଆଜିଠାରୁ ଆରମ୍ଭ ହେଇଛି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। - NILACHALA SAMACHAR
Article Image

ଆଜିଠାରୁ ଆରମ୍ଭ ହେଇଛି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ।

🗂 Art & Culture | 🕒 12 Jun 2025, 20:58 IST

ବ୍ରହ୍ମଗିରି ଆଜିଠାରୁ ଆରମ୍ଭ ହେଇଛି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ୧୪ଦିନ ଧରି ଠାକୁର ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରିପାରିବେ । ଏହି ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। 


ସେଥିପାଇଁ ଆଜି ଭୋର ୪ଟାରେ ମନ୍ଦିର ଖୋଲିବା ପରେ ୪.୧୫ ରେ ମଙ୍ଗଳ ଆଳତୀ,ତଡ଼ପ ଲାଗି, ଅବକାଶ, ବେଶ, ତୁଳସୀ ଲାଗି ହୋଇଥିଲା। ସାଢେ଼ ୫ ଟାରେ ଗୋପାଳ ବଲ୍ଲଭ ସରିବା ପରେ ଏବେ ସର୍ବସାଧାରଣ ଦର୍ଶନ ୬ ଟାରୁ ଆରମ୍ଭ ହୋଇଛି। ଏଥିପାଇଁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଠାରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଛି। 


ସୂଚନା ଥାଉକି, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ୧୦୮ ଗରା ଜଳରେ ସ୍ନାନ ପରେ ପ୍ରଭୁ ଅଣସର ଗୃହରେ ଗୁପ୍ତ ସେବା ଚାଲିବା ସହ ପଟି ଦିଅଁ ପୂଜା ପାଇବେ। ଏହି ସମୟରେ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଦର୍ଶନରୁ ଭକ୍ତ ମାନେ ବଞ୍ଚିତ ନ ହେବା ପାଇଁ ରଚିଥାନ୍ତି ଠାକୁର ମାନବୀୟ ଲୀଳା । ଭକ୍ତମାନଙ୍କୁ ଦାରୁବ୍ରହ୍ମ ଦର୍ଶନ ପ୍ରତିବଦଳରେ ଦେଇଥାନ୍ତି ଶିଳା ବ୍ରହ୍ମ ଚତୁର୍ଭୁଜ ନାରାୟଣ ରୂପରେ । ପୁରୀ ଜିଲ୍ଲା ବ୍ରହ୍ମଗିରି ପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଭକ୍ତ ମାନେ ୧୪ ଦିନ ଧରି ଜଗନ୍ନାଥଙ୍କ ଶିଳା ବ୍ରହ୍ମ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିବେ । 


ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର, ବିଗ୍ରହ, ସିଂହଦ୍ୱାରରେ ଦୁଇ ସିଂହ ଓ ଆନନ୍ଦ ବଜାରକୁ ସୁସଜ୍ଜିତ କରାଯାଇଛି । ଅଣସର ସମୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାରିକେଡ୍‌ କରାଯାଇଛି । ଯାନବାହନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 

💬 Leave a Comment

🗨️ Approved Comments

No comments yet.

🔗 Share this article: