🗂 Art & Culture | 🕒 14 Jun 2025, 20:49 IST
ପୁରୀ ମହାପ୍ରଭୁଙ୍କ ଘୋଷଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ମହାପ୍ରଭୁଙ୍କ ନୀତି କାନ୍ତି ସହିତ ପହଣ୍ଡି ବିଜେ ନୀତି ଶୃଙ୍ଖଳିତ ଭାବେ ହେବା ପାଇଁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ସ୍ବତନ୍ତ୍ର ବୈଠକରେ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ଚାରି ବାଡ଼ଗ୍ରାହୀଙ୍କ ସମେତ ଯୁବ ଓ ବରିଷ୍ଠ ଦଇତାପତି ମାନେ ଯୋଗ ଦେଇଥିଲେ।
ଚଳିତ ବର୍ଷ ରଥଯାତ୍ରାରେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ପହଣ୍ଡି ନୀତି କିଭଳି ହୋଇପାରିବ ସେନେଇ ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି। ପୂର୍ବବର୍ଷ ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥରେ ଯେଉଁ ଅଘଟଣ ଘଟିଥିଲା ତାହାର ଯେପରି ପୁନରାବୃତ୍ତି ନଘଟେ ସେନେଇ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଛି। ସେହିପରି ଚଳିତ ବର୍ଷ ଠାକୁରଙ୍କର ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ିଥିବାରୁ ଶୃଙ୍ଖଳିତ ନୀତି କାନ୍ତି ଏବଂ ଦର୍ଶନ ପାଇଁ ମଧ୍ୟ ଆଲୋଚନା ହୋଇଛି। । ରଥ ଉପରେ ଅଣ ସେବାୟତ ଚଢିବା, ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ରଥ ଉପରେ ଅଣ ସେବାୟତ ଧରାପଡିଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ। ରଥଯାତ୍ରା ପରଦିନ ଠାରୁ ନିଳାଦ୍ରୀ ବିଜେର ପୂର୍ବଦିନ ପର୍ଯ୍ୟନ୍ତ ଯେଉଁ ସମୟ ରହିଛି ସେହି ସମୟ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ଏଏସଆଇକୁ କୁହାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହିତ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଆଗାମୀ ଦିନରେ ଆଲୋକୀକରଣ କରିବା ନିମନ୍ତେ ଏଏସଆଇ ସହିତ ଆଲୋଚନା ହୋଇଛି। ଗୁଣ୍ଡିଚା ମନ୍ଦିରର ବାହାର ପଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ଦୁଇଟି ସୂଚନା କେନ୍ଦ୍ର ସହିତ ଏକ ଏଲଇଡି ବୋର୍ଡରେ ସୂଚନା ପ୍ରଦାନ ନେଇ ବ୍ୟବସ୍ଥା ହୋଇଛି।
No comments yet.