🗂 Local | 🕒 23 Jun 2025, 00:48 IST
ପୁରୀ ଚିକିତ୍ସା ଅବହେଳା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ। ସାମାନ୍ୟ ରୋଗର ଚିକିତ୍ସା ବଦଳରେ ମହିଳା ରୋଗୀଙ୍କ ଜୀବନ ନେଇଗଲା ଘରୋଇ ହସ୍ପିଟାଲ। ପୁରୀ କୁମ୍ଭାରପଡ଼ା ଥାନା ନିକଟରେ ଥିବା ଶ୍ୟାମାଶ୍ରୀ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ହେଉଛନ୍ତି ଚାରିନଳାର ରବିନ୍ଦ୍ର ସ୍ବାଇଁ ଙ୍କ ପତ୍ନୀ ପୂଜାରାଣୀ ଦଳେଇ। ହସ୍ପିଟାଲରେ ଚିକିତ୍ସା ଅବହେଳା ଏବଂ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁ ପୂଜାରାଣୀଙ୍କ ମୃତ୍ୟୁ ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି। ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଓ ସମ୍ପର୍କୀୟମାନେ ଟାୟାର ଜାଳି ହସ୍ପିଟାଲ ସମ୍ମୁଖରେ ରାସ୍ତାରୋକ କରିଥିଲେ। ତୁରନ୍ତ ସମ୍ପୃକ୍ତ ହସ୍ପିଟାଲ କୁ ସିଲ୍ କରିବା ପାଇଁ ଦାବି କରିଥିଲେ। ଚିକିତ୍ସାରେ ଅବହେଳା କରିଥିବା ସମ୍ପୃକ୍ତ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ, ଡ଼ାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ମୃତକଙ୍କ ପରିବାର ଲୋକେ। ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଏବଂ ମୃତକଙ୍କ ପରିବାର ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ଗ୍ୟାଷ୍ଟିକ ରୋଗ ଯୋଗୁ ପୂଜାରାଣୀ ଦଳେଇଙ୍କୁ ତାଙ୍କ ସ୍ବାମୀ ଶ୍ୟାମାଶ୍ରୀ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ବୋଲି କହିଛନ୍ତି। ଗତ ୨୦ ତାରିଖରେ ଚିକିତ୍ସା ପାଇଁ ପୂଜାରାଣୀଙ୍କୁ ତାଙ୍କ ସ୍ବାମୀ ହସ୍ପିଟାଲକୁ ଆଣିଥିବା ବେଳେ ଶନିବାର ରାତିରେ ତାଙ୍କୁ ରେଫର କରିଥିଲେ। ଆମ୍ବୁଲାନ୍ସ ଭିତରେ ଡାକ୍ତର ସମ୍ପୃକ୍ତ ମହିଳାଙ୍କୁ ଭୁଲ୍ ଇଞ୍ଜେକସନ ଦେଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ସେପଟେ ଚିକିତ୍ସା ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ବିଭିନ୍ନ ଥାନାର ଅଧିକାରୀ, ପୁରୀ ଏସପି, ଜିଲ୍ଲାପାଳ, ପୋଲିସ ଡିଜି, ପୁରୀ ସାଂସଦ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁଯାୟୀ ଚିକିତ୍ସା ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହିତ ରାସ୍ତାରୋକ ହଟିଥିଲା। ସିଡିଏମଓ ଏକ ଟିମ୍ ଗଠନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଚିକିତ୍ସା ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରମାଣ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ସମ୍ପୃକ୍ତ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ତେବେ ହସ୍ପିଟାଲକୁ ସିଲ୍ କରିବା ପୂର୍ବରୁ ହସ୍ପିଟାଲ ଭିତରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
No comments yet.