🗂 Local | 🕒 23 Jun 2025, 13:51 IST
ପୁରୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଏବଂ ସୂଚାରୁରୂପେ ସମାପନ କରିବା ପାଇଁ ପୁରୀ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ୨୦୨୫ କୁ ନେଇ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ପୁରୀ ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବୁଦ୍ଧିଜୀବୀ ଏବଂ ସେବାୟତ ଯୋଗ ଦେଇଥିଲେ। ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ
ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତେବେ ଶ୍ରୀମନ୍ଦିର ଭିତରେ, ବାହାରେ, ରଥ ଚାରିପାଖରେ ପୋଲିସ ମୁତୟନ, ଭିଡ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ସେହିପରି ଆତଙ୍କୀବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ - ଭୁବନେଶ୍ୱର, ପୁରୀ - କୋଣାର୍କ ରାସ୍ତା ସହିତ ପୁରୀର ବିଭିନ୍ନ ଅଞ୍ଚଳକୁ ମିଶାଇ ୨୭୫ ଟି AI କ୍ୟାମେରା ଲଗାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇ AI ଓ ଡ୍ରୋନ୍ କ୍ୟାମେରା ମାଧ୍ୟମରେ କଡ଼ା ନଜର ରଖାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ପୋଲିସ ପକ୍ଷରୁ ଏକ ଚାଟ୍ ବୋର୍ଡ ଆପ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ କି ପୁରୀ କୁ ଆସିବାକୁ ଥିବା ଯାତ୍ରୀ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ, ମହାପ୍ରଭୁଙ୍କ ନୀତି କାନ୍ତି ସମ୍ପର୍କିତ ସୂଚନା ଉପଲବ୍ଧ ହେବ। ସେହିପରି ଭିଆଇପି ଭକ୍ତଙ୍କ ସୁରକ୍ଷା ପାଇଁ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ଦାଣ୍ଡ ସମେତ ପୁରୀ ବେଳାଭୂମି ଏବଂ ସହରର ପ୍ରବେଶ ପଥରେ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯିବା ସହ ଆକାଶ ମାର୍ଗରୁ ମଧ୍ୟ ପୁରୀ ସହର ଉପରେ କଡ଼ା ନଜର ରଖାଯିବ। ସମୁଦ୍ର ମଧ୍ୟରେ କୋଷ୍ଟ ଗାର୍ଡ ଏବଂ ଓଡ଼ିଶା ପୋଲିସ୍ ମିଳିତ ଭାବରେ କଡ଼ା ନଜର ରଖିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ କରାଯିବ। ପୁରୀ ସହରର ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ହଜାର ପୋଲିସ ସୁରକ୍ଷା କର୍ମଚାରୀ ମାନେ ନିୟୋଜିତ ହେବେ। ପୁରୀ ସହରକୁ ତିନୋଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ ୩୬ ଟି ପାର୍କିଂ ସ୍ଥାନ ଚିହ୍ନଟ, ଟ୍ରାଫିକ ପରିଚାଳନା ପାଇଁ ୩୯ ଟି ଟ୍ରାଫିକ ପରିଚାଳନା କେନ୍ଦ୍ର ସ୍ଥାପନ କରାଯାଇଛି। ଯେକୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ମୁତୟନ ରହିବେ। ଆମ୍ବୁଲାନ୍ସ ଯାତାୟତ ପାଇଁ ସ୍ବତନ୍ତ୍ର ଗ୍ରୀନ୍ କରିଡ଼ର ବ୍ୟବସ୍ଥା କରାଯିବ।
ରଥଯାତ୍ରାରେ ଭକ୍ତଙ୍କୁ ସମସ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ବିଭିନ୍ନ ସ୍ଥାନରେ ୬୯ ଟି ଫାଷ୍ଟ ଏଡ୍ ସେଣ୍ଟର୍, ୬୪ଟି ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ୩୭୮ ଜଣ ଅତିରିକ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯିବ। ଆଇସିୟୁ, ୨୬୫ ଏମର୍ଜନ୍ସି ବେଡର ବ୍ୟବସ୍ଥା ସହିତ ରାଜ୍ୟରେ ଡାଇରିଆ ସଂକ୍ରମଣ ରୋକିବାକୁ ସରକାର ସମସ୍ତ ବ୍ୟବସ୍ଥା କରିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ତେବେ ପୁରୀ ସହରରେ ଡାଇରିଆ ସଂକ୍ରମଣ କିଭଳି ନବ୍ୟାପିବ ସେନେଇ ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ନିଆଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ରାସ୍ତାଘାଟ ମରାମତି ଠାରୁ ଆରମ୍ଭ କରି ଡାଇରିଆ ନିୟନ୍ତ୍ରଣ ପାଇଁ ଯାଞ୍ଚ ବ୍ୟବସ୍ଥା, ମେଡିକାଲ୍ ରେ ଅଧିକ ଡାକ୍ତର ନିଯୁକ୍ତି କରାଯିବା ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ରଥକାଠ ସମସ୍ୟାକୁ ନେଇ ବୈଠକରେ ସେବାୟତ ମାନେ ଉଦବେଗ ପ୍ରକାଶ କରିଥିବା ବେଳେ ସରକାର ଏଦିଗରେ ସଚେତନ ଅଛନ୍ତି ଏବଂ ଆଗାମୀ ଦିନରେ ଏହି ସମସ୍ୟା ଯେଭଳି ସୃଷ୍ଟି ନହୁଏ ସେନେଇ ସରକାର ଯୋଜନା କରିଥିବା ଆଇନମନ୍ତ୍ରୀ କହିଛନ୍ତି। ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇ କହିଛନ୍ତି ଚଳିତବର୍ଷ ରଥଯାତ୍ରା ମହାପ୍ରଭୁଙ୍କ କୃପାରୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ଅଧିକାରୀ, ରଥଯାତ୍ରା ସହିତ ସଂଶ୍ଳିଷ୍ଟ ଥିବା ସମସ୍ତ ବ୍ୟକ୍ତି ବିଶେଷ ଜଣେ ଭକ୍ତ ହିସାବରେ ନିଜର କାର୍ଯ୍ୟ କରି ମହାପ୍ରଭୁଙ୍କ ରଥଯାତ୍ରାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
No comments yet.