ଆରମ୍ଭ ହେଲା ରଥଟଣା, ଜନ୍ମବେଦୀ ଅଭିମୁଖେ - NILACHALA SAMACHAR
Article Image

ଆରମ୍ଭ ହେଲା ରଥଟଣା, ଜନ୍ମବେଦୀ ଅଭିମୁଖେ

🗂 Art & Culture | 🕒 27 Jun 2025, 17:51 IST



ପୁରୀ: ଖୋଲା ହେଲା ଚାରମାଳ । ଆରମ୍ଭ ହେଲା ରଥଟଣା । ପ୍ରଥମେ ବଲଭଦ୍ରଙ୍କ ରଥ ଟଣା ହେଲା। ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଇନ ମନ୍ତ୍ରୀ । ଘଡଘଡ ନାଦ କରି ଆଗେଇ ଚାଲିଛି ତିନି ରଥ । ଆଗରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ, ମଝିରେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ଓ ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଆଗେଇ ଚାଲିଛି ।


ଛେରା ପହଁରା ନୀତି ସମାପନ ପରେ ଆରମ୍ଭ ହେଲା ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଭକ୍ତ ମଣ୍ଡଳୀ । ଘଣ୍ଟ ଘଣ୍ଟା ନାଦରେ ଘର୍‌ ଘର୍‌ ଗଡ଼ିଲା ତାଳଧ୍ବଜ । ପ୍ରଥମେ ବଡ଼ ଭାଇ ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି । ଏହାପରେ ସାନ ଭଉଣୀ ଦେବୀ ସୁଭଦ୍ରା ବାହାରିବେ । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବ । ଭକ୍ତ ଭଗବାନଙ୍କ ମିଳନରେ ଶ୍ରୀକ୍ଷେତ୍ର ପୁଣି ଚଳଚଞ୍ଚଳ ହୋଇ ଉଠିଛି । ଛେରାପହଁରା ପରେ ରଥରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ଘୋଡ଼ା ଜୋଖା ହୋଇଛି । ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି । ଭାଇ ଭଉଣୀଙ୍କୁ ସାଥୀରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରିଲେ ମହାପ୍ରଭୁ । 9 ଦିନ ଧରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର ।


ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ନୀତି ସମ୍ପନ୍ନ କରିଛନ୍ତି । ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ରଥ ଉପରେ ଛେରା ପହଁରା ନୀତି କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣ ଖଡ଼ିକାରେ 3 ରଥରେ ଛେରା ପହଁରା କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରା ପହଁରା କରିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଯାଇ ଛେରା ପହଁରା ନୀତି ସମାପନ କରିଛନ୍ତି ।


ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ମଙ୍ଗଳ ଆଳତି ପରେ ମଇଲମ,ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ସହିତ ମହାପ୍ରଭୁଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ ହୋଇଛି । ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ପରେ ଶ୍ରୀଜୀଉଙ୍କ ପହଣ୍ଡି ଅନୁଷ୍ଠିତ ହୋଇଛି । ପହଣ୍ଡି ଶେଷ ପରେ ତିନି ରଥରେ ଗଜପତି ଛେରା ପହଁରା କରିଛନ୍ତି । ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ଆରମ୍ଭ ହୋଇଛି ରଥ ଟଣା । ଡାହୁକର ହୋ ଭକତେ ଡାକରେ ଘଡଘଡ ନାଦ କରି ଆଗକୁ ମାଡି ଚାଲିଛି ତିନି ରଥ। ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ମାଉସୀ ଘରର ପରଷା ଖାଇବାକୁ ବ୍ୟାକୁଳ କାଳିଆ । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର

💬 Leave a Comment

🗨️ Approved Comments

No comments yet.

🔗 Share this article: