🗂 Art & Culture | 🕒 04 Jul 2025, 02:43 IST
ପୁରୀ ନାକଚଣା ଦ୍ଵାର ସମ୍ମୁଖରେ ଲାଗିଲା ତିନି ରଥ, ଆରମ୍ଭ ହେଲା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ପ୍ରସ୍ତୁତି ।ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଆସନ୍ତା ଶନିବାର ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା। ଶ୍ରୀଗୁଣ୍ଡିଚା ଆଡ଼ପ ମଣ୍ଡପରୁ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ । ତେବେ ବାହୁଡା଼ ଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ରଥ କର୍ଡନକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେ ନେଇ ଅଧିକ ଗୁରୁତ୍ବ ଦିଆଯାଉଛି । ରଥ କର୍ଡନରେ ଲୋକ ଉପସ୍ଥିତି ଯେଭଳି କମ୍ ରହିବ ସେ ନେଇ ବ୍ୟବସ୍ଥା କରାଯାଇଛି । ଟ୍ରାଫିକକୁ ବ୍ୟବସ୍ଥିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶରଧାବାଲିରେ ରଥ ଆଗରେ ଦଳା ଚକଟାରେ 3ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ ପ୍ରଶାସନର ଅବହେଳାକୁ ନେଇ ସାଧାରଣରେ କଡା ସମାଲୋଚନା ପ୍ରକାଶ ପାଇଛି । ଏହି ଘଟଣା କୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗିଥିଲେ । ଆଗାମୀ ବାହୁଡା଼ ଯାତ୍ରା,ସୁନା ବେଶ ଓ ନୀଳାଦ୍ରି ବିଜେ ନୀତି କିଭଳି ଦୁର୍ଘଟଣା ମୁକ୍ତ ଓ ଶୃଙ୍ଖଳିତ ହୋଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।
ରଥଯାତ୍ରା ପରିଚାଳନାରେ ସାମିଲ ଥିବା ଅଧିକାରୀ ମାନେ ଜଣେ ମହାପ୍ରଭୁଙ୍କ ସେବକ ହିସାବ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି । ରଥ ଆଗରେ ଦଳାଚକଟା ଘଟଣାରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଯାଇଛି । ପୁରୀର ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ଏସପି ଭାବେ ପିନାକ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି । ବାହୁଡ଼ା,ସୁନାବେଶ ଓ ନୀଳାଦ୍ରି ବିଜେନୀତିକୁ ସୁପରିଚାଳନା ପାଇଁ ପୁରୀରେ ଜିଲ୍ଲାପାଳ ଭାବେ କାର୍ଯ୍ଯ କରିସାରିଥିବା ବରିଷ୍ଠ ଆଇଏଏସ ଅରବିନ୍ଦ ଅଗ୍ରୱାଲଙ୍କୁ ସ୍ବତନ୍ତ୍ର ଦାୟିତ୍ଵ ଦିଆଯାଇଛି । ସେହିପରି ପୋଲିସ ବ୍ୟବସ୍ଥାକୁ ସୁପରିଚାଳନା ପାଇଁ ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସ୍ବତନ୍ତ୍ର ଦାୟିତ୍ଵ ଦିଆଯାଇଛି । ଏହି ଦୁଇ ଅନୁଭବି ଅଭିଜ୍ଞ ଅଧିକାରୀ ରଥ ଯାତ୍ରା କୁ ସୁପରିଚାଳନା କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।
ରଥଯାତ୍ରା ଯାହା ସୁରକ୍ଷା ବ୍ୟବସ୍ଥା ରହିଥିଲେ ବାହୁଡା଼ ଯାତ୍ରାରେ ମଧ୍ୟ ଅନୁରୂପ ସୁରକ୍ଷା ବ୍ୟବସ୍ଥା । ୨୦୦ ପ୍ଲାଟୁନ୍ ପୋଲିସ ଫୋର୍ସ, 275 ଏଆଇ କ୍ୟାମେରା ସହିତ ବରିଷ୍ଠ ଆଇଏଏସ ଓ ଆଇପିଏସ ରଥ ଯାତ୍ରା ସୁରକ୍ଷା ବ୍ୟବସ୍ଥାରେ ରହିବେ । ଏଆଇ କ୍ୟାମେରା ଦ୍ଵାରା ଭିଡ ନିୟନ୍ତ୍ରଣ କରାଯିବ । ଯେଉଁଠି ଭିଡ ଅଧିକ ହେବ ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳରେ ମୁତୟନ ଥିବା ପୋଲିସ ଅଧିକାରୀଙ୍କୁ ସୂଚନା ଦିଆଯିବ । ଯାହା ଫଳରେ ଭିଡକୁ ନିୟନ୍ତ୍ରଣ କରାଯିବ। ବଡଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ଗ୍ରୀନ କରିଡ଼ର ରହିବ । ଯଦି କୌଣସି ଦଳାଚକଟା ଘଟଣା ଘଟେ ଅବା କେହି ଭକ୍ତ ଅସୁସ୍ଥ କି ଆହତ ହେବେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ରେ ଗ୍ରୀନ କରିଡ଼ର ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇପାରିବ । ପୁରୀ ସହର ବିଭିନ୍ନ ସ୍ଥାନ ରେ ସ୍ବାସ୍ଥ୍ୟ ସେବା କେନ୍ଦ୍ର ରହିବ। ସେଠାରେ ସ୍ୱାସ୍ଥ୍ୟକର୍ମୀ ରହି ଭକ୍ତ ଓ ଯାତ୍ରଙ୍କ ଚିକିତ୍ସା ସେବା ଯୋଗାଇ ଦେଇ ପାରିବେ। ରଥ ବଡଦାଣ୍ଡରେ ଟଣା ହେବାବେଳେ ବଡ ଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ ରହିବ ।
No comments yet.