🗂 Local | 🕒 14 Jul 2025, 21:10 IST
ପୁରୀ ବୋଲ ବମ..ହର ହର ବମ...ଧ୍ୱନିରେ ଆଜି କମ୍ପୁଛି ଶୈବପୀଠ । ଚନ୍ଦନ, କର୍ପୁର, ଅଗୁରୁ ବାସ୍ନାରେ ମହକୁଛି ପରିବେଶ । ଏକ ଆଧ୍ୟାତ୍ମିକ ଭାବରେ ବିହ୍ୱଳ ଭକ୍ତ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଭୋଳାବାବାଙ୍କୁ ଜଳ ଲାଗି କରିବା ପାଇଁ ସକାଳୁ ସକାଳୁ ଶିବ ମନ୍ଦିରରେ ଧାଡି ଲଗାଇଛନ୍ତି କାଉଡିଆ ।
ଶ୍ରାବଣ ମାସ ପବିତ୍ର ମାସ । ଶ୍ରାବଣ ସୋମବାରରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରାଯାଇଥାଏ । ବିଶ୍ୱାସ ରହିଛି, ଶ୍ରାବଣ ସୋମବାରରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କଲେ ପୁଣ୍ୟ ମିଳିଥାଏ । ସେଥିପାଇଁ ଶ୍ରାବଣ ମାସର ପ୍ରତି ସୋମବାରରେ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ ଲାଗିଥାଏ ।
ଭୋଳା ବାବାଙ୍କୁ ଜଳଲାଗି କରିବା ପାଇଁ ଭକ୍ତମାନେ ମାସ ସାରା ନିଷ୍ଠାରେ ରହିଥାନ୍ତି । ଶାକାହାର ଭୋଜନ କରିଥାନ୍ତି । ପବିତ୍ର ନଦୀରୁ ଜଳ ଉଠାଇବା ପାଇଁ ଦୁଇ ବା ତିନି ଦିନ ପୂର୍ବରୁ କାଉଡିଆମାନେ ଘରୁ ବାହାରିଥାନ୍ତି । ନଦୀରୁ ଜଳ ଉଠାଇବା ପରେ ନୀତି ଅନୁସାରେ ପୂଜାପାଠ କରାଯାଇଥାଏ । ପୂଜା ସରିବା ପରେ ପରେ ଭାରରେ ଅଭିମନ୍ତ୍ରିତ ଜଳ ଧରି ଚାଲି ଚାଲି ଅସିଥାନ୍ତି ।
କାଉଡିଆମାନେ ଓଦା ବସ୍ତ୍ର ପରିଧାନ କରି ଖାଲି ପାଦରେ ଚାଲି ଚାଲି ଆସି ରାତିରୁ ଶୈବପୀଠରେ ଧାଡି ଲଗାଇଥାନ୍ତି । ଶ୍ରାବଣ ମାସ ହୋଇଥିବାରୁ ଅନେକ ସମୟରେ ବର୍ଷା ହୋଇଥାଏ । ତେଣୁ କାଉଡିଆଙ୍କୁ ଭିଜିଭିଜି ଆସିବାକୁ ପଡିଥାଏ । ସକାଳୁ ସକାଳୁ ମହାଦେବଙ୍କ ଜଳାଭିଷେକ କରିଥାନ୍ତି । ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜ, ପୁରୀରେ ବାବା ଲୋକନାଥ, କଟକରେ ବାବା ଧବଳେଶ୍ୱରଙ୍କ ସମେତ ସମସ୍ତ ଶୈବପୀଠରେ ଭକ୍ତ ପାଣି ଲାଗି କରିଥାନ୍ତି
ଅନ୍ୟପଟେ ପୁରୀ ବେଳାଭୂମିରେ ବି ଦେଖିବାକୁ ମିଳିଛି ଶ୍ରାବଣ ସୋମବାରର ଦୃଶ୍ୟ । ବେଳାଭୂମିରେ ସୁନ୍ଦର୍ ବାଲୁକା ଚିତ୍ରକଳା କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସମସ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରାବଣ ସୋମବାରର ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ମହାଦେବ ସବୁ ଭକ୍ତଙ୍କୁ ଶାନ୍ତି, ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।
No comments yet.