ବେଳାଭୂମି ଷ୍ଟର୍ଲିଂ ଛକ ଉପକଣ୍ଠରେ ଅନ୍ଧାର, ବଢୁଛି ଅପରାଧ ! - NILACHALA SAMACHAR
Article Image

ବେଳାଭୂମି ଷ୍ଟର୍ଲିଂ ଛକ ଉପକଣ୍ଠରେ ଅନ୍ଧାର, ବଢୁଛି ଅପରାଧ !

🗂 Local | 🕒 25 Jul 2025, 02:22 IST

ପୁରୀ ବେଳାଭୂମି ଏବଂ ପୁରୀ ଉପକଣ୍ଠ ଅଞ୍ଚଳରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧାରର ସୁଯୋଗ ନେଇ ଅପରାଧୀ ମାନେ ଗୋଟିଏ ପରେ ଗୋଟିଏ ଅପରାଧ କାର୍ଯ୍ୟ କରି ଚାଲିଛନ୍ତି। କେତେବେଳେ ଅନ୍ଧାରର ସୁଯୋଗ ନେଇ ଲୋକଙ୍କ ଠାରୁ ଲୁଟପାଟ କରୁଛନ୍ତି ତ କେତେବେଳେ ମହିଳା ଏବଂ ଯୁବତୀଙ୍କୁ ଦୁର୍ବୁତ୍ତ ମାନେ ଅସଦାଚରଣ କରୁଛନ୍ତି। ପୁରୀ ବେଳାଭୂମିର ଷ୍ଟ୍ରଲିଙ୍ଗ ଛକ ସମ୍ପୂର୍ଣ୍ଣ ଅନ୍ଧକାର ଭିତରେ ରହିଛି। ଏହି ରାସ୍ତା ପୁରୀ - ଭୁବନେଶ୍ୱର କୁ ସଂଯୋଗ ମଧ୍ୟ କରୁଛି। ସେହିପରି ମଙ୍ଗଳାଘାଟ ଛକରୁ ସମଙ୍ଗ ବସ୍ ପାର୍କିଂ କୁ ଥିବା ରାସ୍ତାର ଦୃଶ୍ୟ ମଧ୍ୟ ସମାନ। ଏଠି ଷ୍ଟ୍ରିଟ ଲାଇଟ ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ସନ୍ଧ୍ୟା ପରେ ଘନ ଅନ୍ଧକାର ରାଜୁତି କରୁଛି ଏହି ରାସ୍ତା ଉପରେ। ଏହାର ପରିଣାମ ସ୍ବରୂପ ସୋମବାର ସନ୍ଧ୍ୟାରେ ଏହି ରାସ୍ତା ଦେଇ କଣ୍ଠପୁର ଗାଁକୁ ଯାଉଥିବା ତିନି ଭଉଣୀଙ୍କୁ କିଛି ଅସାମାଜିକ ଯୁବକ ଅସଦାଚରଣ କରିଥିଲେ। ତେବେ ପୁରୀ ଭଳି ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ହଜାର ହଜାର ପର୍ଯ୍ୟଟକମାନେ ପ୍ରତିଦିନ ଆସୁଥିବା ବେଳେ ପୁରୀ ବେଳାଭୂମି ରାସ୍ତା ଅନ୍ଧାରରେ ରହିବା ଏବଂ ପୁରୀ ଉପକଣ୍ଠ ଅଞ୍ଚଳରେ ଥିବା ରାସ୍ତା ଗୁଡିକରେ ଆଲୋକର ବ୍ୟବସ୍ଥା ନରହିବା ଅପରାଧୀଙ୍କୁ ଅପରାଧ ଘଟାଇବା ପାଇଁ ବେଶ୍ ସୁହାଉଛି। ଏଣୁ ପୁରୀ ବାସିନ୍ଦା ଙ୍କ ସମେତ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାସ୍ତା ଗୁଡିକରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ମଧ୍ୟ ଲେଖାଯିବାର ନିହାତି ଆବଶ୍ୟକ ଥିବା ବୁଦ୍ଧିଜୀବୀ ଦାବି କରିଛନ୍ତି। 



ପୁରୀ ସହର ବାସିନ୍ଦା ତଥା ବୁଦ୍ଧିଜୀବି ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ବେଳାଭୂମି ର ଅନେକ ସ୍ଥାନ, ଷ୍ଟରଲିଂ ଛକ, ସମଙ୍ଗ ବସ ପାର୍କିଂ ରାସ୍ତା ସମେତ ପୁରୀ ସହର ଉପକଣ୍ଠ ଅଞ୍ଚଳ ଅନ୍ଧାର ରେ ରହିଚି। ଏଠାରେ ତୁରନ୍ତ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ଲଗାଯିବା ଉଚିତ୍। ଯେଉଁ ଅଞ୍ଚଳ ରାସ୍ତା ଦେଇ ପର୍ଯ୍ୟଟକ, ଜନସାଧାରଣ ଯାତାୟାତ କରୁଛନ୍ତି ସେହି ରାସ୍ତା ଗୁଡ଼ିକ ରେ ଆଲୋକ ବ୍ୟବସ୍ଥା ରହିବା ଉଚିତ୍। ଅନ୍ଧାର ଯୋଗୁ ଅସାମାଜିକ ଯୁବକ ମାନେ ସେଠାରେ ନିଶା ସେବନ କରି ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକ ଙ୍କ ଠାରୁ ଲୁଟ କରୁଛନ୍ତି। ମହିଳା ଙ୍କୁ ଅସଦାଚରଣ କରୁଛନ୍ତି। ତେବେ ଯଦି ରାସ୍ତା ରେ ଆଲୋକ ବ୍ୟବସ୍ଥା ସହ ସିସିଟିଭି ରହିବ ଏହି ସବୁ ଅସାମାଜିକ କାର୍ଯ୍ୟ ହେବ ନାହିଁ। କେଉଁ କେଉଁ ସ୍ଥାନ ଏଭଳି ରହିଚି ତାହା ପ୍ରଶାସନ ଅନୁଧ୍ୟାନ କରି ପଦକ୍ଷେପ ନେବା ଉଚିତ୍। ନହେଲେ ଏହା ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପଡ଼ିବ। ଅନେକ ପର୍ଯ୍ୟଟକ ନିଜ ପରିବାର ସହ ପୁରୀ ଆସୁଛନ୍ତି। ଯଦି ରାସ୍ତା ରେ ଏଭଳି ଅସାମାଜିକ କାର୍ଯ୍ୟ ହେବ ତାହା ହେଲେ ପର୍ଯ୍ୟଟକ ପୁରୀ କୁ ଆସିବାକୁ ଭୟ କରିବେ। ଏଥି ସହିତ ରାସ୍ତା ଗୁଡ଼ିକ ରେ ପୁଲିସ ପେଟ୍ରୋଲିଂ କଡାକଡି ହେବା ଦରକାର।


ସେପଟେ ପୁରୀରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ସମେତ ବିଭିନ୍ନ ଅପରାଧ ଘଟୁଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି। ବିଭିନ୍ନ ସ୍କୁଲ କଲେଜ ଗୁଡିକରେ ପୋଲିସ ଅଧିକାରୀ ମାନେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ସଚେତନ କରୁଛନ୍ତି। ସାଇବର ଠକେଇ, ସ୍କୁଲ କଲେଜରେ ଅସଦାଚରଣର ଶିକାର ହେଲେ କିଭଳି ଏବଂ କେଉଁ ସ୍ଥାନରେ ଅଭିଯୋଗ କରିହେବ, କଣ ରହିଛି ଭାରତୀୟ ନ୍ୟାୟ ସଂହିତାର ନିୟମ ସେନେଇ ଛାତ୍ରଛାତ୍ରୀ ଙ୍କୁ ସଚେତନ କରାଯାଉଛି। ସ୍କୁଲ କଲେଜରେ ଯଦି କୌଣସି ସମସ୍ୟା ସୃଷ୍ଟି ହୁଏ ଭୟଭୀତ ନହୋଇ ତୁରନ୍ତ ଥାନାରେ ଅଭିଯୋଗ କରିବାକୁ ଛାତ୍ରଛାତ୍ରୀ ଙ୍କୁ ସଚେତନ କରାଯାଉଛି। 



ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନାବାଳିକା ମାନଙ୍କ ସୁରକ୍ଷା ପାଇଁ ସ୍କୁଲ କଲେଜ ରେ ସଚେତନତା ଅଭିଯାନ ପୁରୀ ପୋଲିସ୍ ପକ୍ଷରୁ ଆରମ୍ଭ। ସାଇବର ଅପରାଧ, ସ୍କୁଲ କଲେଜ ରେ କାହା ଦ୍ଵାରା ନିର୍ଯାତନା ର ଶିକାର ହେଲେ ସେମାନେ କାହାକୁ ଅଭିଯୋଗ କରିବେ, ଭାରତିୟ ନ୍ୟାୟ ସଂହିତା ରେ କଣ ନିୟମ ରହିଛି ସେ ନେଇ ଛାତ୍ର ଛାତ୍ରୀ ଙ୍କୁ ସଚେତନତା କରାଯାଉଛି। ନିଜ ସମସ୍ୟା ନେଇ କାହାକୁ ଅଭିଯୋଗ କରିବେ, ତାଙ୍କ ପରିଚୟ କିଭଳି ଗୋପନ ରଖାଯିବା ସେ ନେଇ ଆଲୋଚୋନା କରାଯାଉଛି। ଛାତ୍ର ଛାତ୍ରୀ ଙ୍କ ଆତ୍ମ ବିଶ୍ୱାସ କିଭଳି ବୃଦ୍ଧି ହେବ ସେମାନଙ୍କୁ ପରାମର୍ଶ ଦିଆଯାଉଛି। ଶ୍ରୀ ମନ୍ଦିର ଆଖପାଖ, ବେଳାଭୂମି, ପୁରୀ ସହର ଉପକଣ୍ଠ ଅଞ୍ଚଳରେ ପୋଲିସ ପକ୍ଷରୁ ନିୟମିତ ପେଟ୍ରୋଲିଂ କରାଯାଉଛି। ପୁରୀ ଜନ ସାଧାରଣ ଙ୍କ ସମେତ ଆସୁଥିବା ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।




ସେପଟେ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବା ଅଭିଯୋଗ ନେଇ ନିଜ ପ୍ରତିକ୍ରିୟା ରେ ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି , ପୁରୀ ବେଳାଭୂମି ରେ ୫୪ ଟି ହାଇମାକ୍ସ ଲାଇଟ୍ ଅଛି। ପୁରୀ ବେଳାଭୂମିରେ ୩୭୪ ଟି ଡେକୋରୋଟିଭ ଲାଇଟ୍ ଅଛି। ତେବେ ଏହି ଲାଇଟ୍ ରେ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ରହିଥିଲା। ଏଣୁ ସ୍ବତନ୍ତ୍ର ଦିନରେ ଏହି ଲାଇଟ୍ ଆମେ ଲଗାଉଥିଲୁ। ହେଲେ ଏବେ ସବୁଦିନ ପାଇଁ ଲାଇଟ୍ ସଂଯୋଗ ହୋଇଚି। ତେବେ 90 ଟି ଡେକୋରେଟ୍ଟିଭ ଲାଇଟ୍ ଭାଙ୍ଗି ଯାଇଛି ଓ କିଛି ଚୋରି ହୋଇ ଯାଇଚି। ଏହା ସମ୍ପୂର୍ଣ ନୁଆ ଲଗାଯାଉଛି। ତେବେ ଓବିସିସି ଏହି ଲାଇଟ୍ ଦାୟିତ୍ଵ ରେ ରହିଛି। ଏହାକୁ ପୌର ପାଳିକା ହସ୍ତାନ୍ତର ପରେ ଏହାକୁ ଜଳାଯିବ। ଯେଉଁ ସ୍ଥାନ ରେ ଲାଇଟ ଖରାପ ରହିଛି ତାହା ମରାମତି କରାଯାଇ ଠିକ୍ କରାଯିବ।



ଦିନକୁ ଦିନ ରାଜ୍ୟରେ ଅପରାଧିମାନେ ମହିଳା, ଯୁବତୀ ଓ ନାବାଳିକାଙ୍କ ଉପରେ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟ କରୁଛନ୍ତି। ତେବେ ରାସ୍ତା ରେ ଘନ ଅନ୍ଧକାରର ସୁଯୋଗ ନେଇ ଅନେକ ଅପରାଧୀ ମହିଳାଙ୍କ ଉପରେ ଅନେକ ଅପରାଧ ମୂଳକ କାର୍ଯ୍ୟ କରୁଛନ୍ତି। ଏଣୁ ମହିଳାଙ୍କ ସହିତ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁରୀ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗୁଡିକର ମୁଖ୍ୟ ରାସ୍ତା ଗୁଡିକ ରେ ଉଜ୍ବଳ ଆଲୋକ ବ୍ୟବସ୍ଥା ସହିତ ସିସିଟିଭି କ୍ୟାମେରା ଲଗାଯିବାର ଆବଶ୍ୟକତା ଥିବା ଦାବି କରିଛନ୍ତି ବୁଦ୍ଧିଜୀବୀ। ରାଜ୍ୟ ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: