🗂 Local | 🕒 06 Aug 2025, 15:10 IST
ପୁରୀ ଆନନ୍ଦ ବଜାରରେ ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି ନହୋଇ ସେଥିପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ସ୍ଥିରୀକୃତ ହେବ। ଆନନ୍ଦବଜାରରୁ ଭକ୍ତ ମହାପ୍ରସାଦ କିଣିବା ବେଳେ ଯେପରି ଠକାମୀର ଶିକାର ହେବେ ନାହିଁ, ସେନେଇ ନିର୍ଦ୍ଧାରିତ ହେବ ଦର। ଆଜି ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ସଂକ୍ରାନ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରସ୍ତାବ ଦିଆଯାଇଥିବା ବେଳେ ସରକାର ଏନେଇ ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦ ବଜାର ଶୃଙ୍ଖଳା ପାଇଁ ସୁଆର ମହାସୁଆର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ମୁତାବକ, ଆନନ୍ଦବଜାରରେ କେବଳ ସୂପକାର ହିଁ ଅବଢ଼ା ବିକ୍ରି କରିବେ। କର୍ମଚାରୀମାନେ ଡ୍ରେସ କୋର୍ଡ ପରିଧାନକୁ ପ୍ରାଧାନ୍ୟ ଦେବେ। ଅବଢ଼ା ବିକ୍ରି ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କହିଛନ୍ତି, ଆନନ୍ଦ ବଜାରରେ ଭକ୍ତମାନେ ଶୃଙ୍ଖଳିତ ଭାବେ ବିନା ଠକାମୀରେ କିପରି ଅବଢ଼ା ମହାପ୍ରସାଦ ପାଇବେ ସେନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଦର ନିର୍ଦ୍ଧାରଣ ପାଇଁ ସେବକଙ୍କୁ କୁହାଯାଇଛି। ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବା ନେଇ ନିଷ୍ପତ୍ତି ହୋଇଛି।
No comments yet.