🗂 Art & Culture | 🕒 08 Aug 2025, 15:12 IST
ଶନିବାର ପବିତ୍ର ଗହ୍ମା ପୁନେଇ ରେ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଲଭଦ୍ର ଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା। ବଡ ଠାକୁର ଙ୍କ ପାଇଁ ଚାଲିଚି ବଡ ରାକ୍ଷୀ ତିଆରି। ଭାଇ ଭଉଣୀ ଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନ କୁ ଦର୍ଶନ କରି ନିଜ କୁ ଧନ୍ୟ ମଣିବେ ଭକ୍ତ। ମହାପ୍ରଭୁ ଙ୍କ ରାକ୍ଷୀ ତିଆରି କରୁଥିବା ସ୍ଵତନ୍ତ୍ର ସେବକ ପାଟରା ବିଷୋୟୀ ସେବକ ନିଜ ବାସଗୃହରେ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଗତ ଚିତାଲାଗି ଅମାବାସ୍ୟା ଠାରୁ ଏହି ପ୍ରସ୍ତୁତି କାର୍ଯ୍ୟ ଆରଂଭ ହୋଇଚି। ବିଧି ମୁତାବକ ମହାପ୍ରଭୁ ଶ୍ରଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି। ଏଥି ସହ ହାତରେ ଦୁଇଟି ଲେଖାଏଁ ଗୁଆ ମାଳ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମା ରେ ଭକ୍ତ ଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ଗାହ୍ମା ପୂର୍ଣ୍ଣିମା ରେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହେବ।
ଶ୍ରୀ ମନ୍ଦିର ଚୁନାର ସେବକ ଶରତ ମହାନ୍ତି କୁହନ୍ତି, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହେଉଚି ଭାଇ ଭଉଣୀ ଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନ ର ପର୍ବ । ଯେମିତି ଭାଇ ଠାରୁ ସୁରକ୍ଷା ଆଶା ନେଇ ଭଉଣୀ ଭାଇ ହାତରେ ରାକ୍ଷୀ ଭିଡ଼ିଥାଏ ଠିକ୍ ସେହିଭଳି ଶ୍ରୀକ୍ଷେତ୍ର ରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ନିଜ ଅଲିଅଳି ଭଉଣୀ ସୁଭଦ୍ରା ଙ୍କ ହାତରୁ ରାକ୍ଷୀ ପିନ୍ଧିଥାନ୍ତି। ୪ ଗୋଟି ବୃହତ୍ କାୟ ରାକ୍ଷୀ ଓ ଗୁଆମାଲ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଶ୍ରୀ ହସ୍ତରେ ଧାରଣ କରିଥାନ୍ତି ।ମହାପ୍ରଭୁ ଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁ ଙ୍କ ଶ୍ରୀଭୂଜ ରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ନୁହେଁ ପରମ୍ପରା ଅନୁଯାୟୀ ଜଜ ମାନଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ପୁରୋହିତ ମାନେ ରକ୍ଷା ବନ୍ଧନ ପୂର୍ବକ ହାତରେ ଡୋରୀ ପିନ୍ଧାଇଥାଆନ୍ତି । ଶ୍ରୀ ମନ୍ଦିର ପାଟରା ବିଷୋୟୀ ସେବକ ମାନେ ମହାପ୍ରଭୁ ଙ୍କ ପାଇଁ ରାକ୍ଷୀ ତିଆରି କରିଥାନ୍ତି।
ରାକ୍ଷୀ ତିଆରି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକ ଙ୍କୁ ଆବଶ୍ୟକ ପରିମାଣ ର ବାସୁଙ୍ଗା ପାଟଯୋଗାଇ ଦିଆଯାଏ। ଏହାକୁ ପ୍ରାକୃତିକ ରଙ୍ଗ ରେ ବୁଡ଼ାଇ ଖରାରେ ସୁଖାଯାଇଥାଏ। ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟ କୁ ରଙ୍ଗୀନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ। କାଠ ପାନିଆ ରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ। ବାଶୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏଥି ସହିତ ୫୪ ଟି ଲେଖାଏଁ ଗୁଆରେ ୪ ଟି ଗୁଆମାଳ ପ୍ରସ୍ତୁତ କରାଯାଏ। ମହାପ୍ରଭୁ ଶ୍ରଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୂ ଶ୍ରୀ ବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି। ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ଶ୍ରୀ ମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି।
ଶ୍ରାବଣ ପୂର୍ଣ୍ଣିମା ତଥା ଗମ୍ହା ପୂର୍ଣ୍ଣିମା କୁ ପ୍ରଭୁ ବଲଭଦ୍ର ଙ୍କ ଜନ୍ମ ଦିବସ ଭାବେ ଶ୍ରୀ ମନ୍ଦିର ରେ ପାଳନ ହୋଇଥାଏ। ଶ୍ରୀ ମନ୍ଦିର ର ଚୂନରା ସେବକ ଶରତ ମହାନ୍ତି କୁହନ୍ତି ପ୍ରଭୂ ବଳଭଦ୍ର ରୋହିଣୀ ଙ୍କ ଗର୍ଭ ରୁ ଏହି ଦିନରେ ଜନ୍ମ ହେଇଥିଲେ। ଏହାକୁ ମଧ୍ୟ ଶ୍ରୀ ମନ୍ଦିର ରେ ଅତ୍ୟନ୍ତ ଜାକଜମକରେ ପାଳନ କରାଯାଇଥାଏ। ଯେତେବେଳେ ଶ୍ରୀ ମନ୍ଦିର ରେ ଭୋଗ ମଣ୍ଡପ ସାରିଥାଏ ସେତେବେଲେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ସର୍ବାଙ୍ଗ ଚନ୍ଦନ ଲେପ ନୀତି ଅନୁଷ୍ଠିତ ହୋଇଥାଏ। ବଡ ଠାକୁର୍ ପ୍ରଭୁ ବଲଭଦ୍ର ଙ୍କ ଆଗରେ ଝୋଟି ମୁରୁଜ ପଡ଼ି ଏକ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥାଏ। ଯାହାକୁ କୁହାଯାଏ ଷଷ୍ଠୀ ମାର୍କଣ୍ଡି ପୂଜା। ଏହି ପୂଜା ରେ ସ୍ଵତନ୍ତ୍ର ଭୋଗ ଅନୁଷ୍ଠିତ ହୋଇଥାଏ। ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେଇଥାଏ। ଷଷ୍ଠୀ ମାର୍କଣ୍ଡି ପୂଜା ପରେ ଏକ ଜନ୍ମ ନୀତି ଅନୁଷ୍ଠିତ ହେଇଥାଏ। ପରେ ପ୍ରଭୂ ସୁଦର୍ଶନ ଚଉଦଳ ରେ ବିଜେ କରିଥାନ୍ତି। ପରେ ରତ୍ନ ଓଡ଼ିଆଣି, ମୁକୁଟ ଲାଗି ହେଇଥାଏ। ପରେ ବଡ ଦେଉଳ କୁ ପରିକ୍ରମା କରି ମାର୍କଣ୍ଡ ପୁଷ୍କରିଣୀ କୁ ସେ ଯାତ୍ରା କରିଥାନ୍ତି। ସେଠାରେ ମାଟିରେ ପ୍ରଭୂ ବଳଭଦ୍ର ଙ୍କ ଏକ ମୂର୍ତି ତିଆରି ହେଇଥାଏ। ପୂଜାପଣ୍ଡା ସେବକ ମାନେ ମନ୍ତ୍ର ଦ୍ଵାରା ତାଙ୍କୁ ଜୀବନ୍ୟାସ ପ୍ରଦାନ କରିଥାନ୍ତି। ସେଠାରେ ପଞ୍ଚୋ ଉପଚାର ପୂଜା ଅନୁଷ୍ଠିତ ହେଇଥାଏ। ଏହି ପୂଜା ନୀତି ସରିବା ପରେ ପ୍ରଭୂ ବଲଭଦ୍ର ଙ୍କ ମାଟି ନିର୍ମିତ ମୂର୍ତ୍ତି କୁ ଜଳରେ ବିସର୍ଜନ କରାଯାଏ। ପରେ ଅଙ୍ଗିରା, ଭୃଗୁ ଆଶ୍ରମ କୁ ପ୍ରଭୁ ସୁଦର୍ଶନ ବିଜେ କରି ଶ୍ରୀ ମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି। ଏହି ଭଳି ଭାବେ ରାକ୍ଷୀ ପୂର୍ଣ୍ଣିମା ରେ ଶ୍ରୀ ମନ୍ଦିର ରେ ପ୍ରଭୂ ବଳଭଦ୍ର ଙ୍କ ଜନ୍ମ୍ ଉତ୍ସବ ପାଳନ ହୋଇଥାଏ।
No comments yet.