ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେଉଛି। - NILACHALA SAMACHAR
Article Image

ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେଉଛି।

🗂 Art & Culture | 🕒 18 Aug 2025, 13:38 IST

ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେଉଛି। ଗୋପଲୀଳା ସମୟରେ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି। ଏହି ପରମ୍ପରାକୁ ସ୍ମରଣ କରି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ। ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯାଇଥିଲା। ଏହା ପରେ ରାମକୃଷ୍ଣ ପାଲିଙ୍କିରେ ବିଜେ କରି ବଡ଼ଛତା ମଠ ନିକଟରେ କୋଳି ବିକା ନୀତି ସମ୍ପନ୍ନ କରିବା ପରେ ସନ୍ଧ୍ୟା ଧୂପ ରେ ବନଭୋଜି ବେଶ ଅନୁଷ୍ଠିତ ହେବା ସହ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି କରାଯିବ। ବଣଭୋଜି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯିବ ସହ ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ। ଏହାଛଡ଼ା ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ନିର୍ମିତ ଗାଇ ବାଛୁରୀ ଦଣ୍ତାୟମାନ ଅବସ୍ଥାରେ ରଖାଯାଇଥାଏ। 



 


ତେବେ ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ଦୁଇ ପ୍ରତିମାଙ୍କୁ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନରେ ବିଜେ କରାଇଥିଲେ। ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିଥିଲେ। ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିବା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ବନ୍ଦାପନା କରାଯାଇଥିଲା। ତେବେ ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ ସଜ୍ଜିତ କରାଯିବ। ଏହି ବଶରେ ଶ୍ରୀଜିଉମାନଙ୍କ ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି। ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ। ଭକ୍ତ ମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ବୋଲି କହିଛନ୍ତି ସେବାୟତ। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।


ଏପଟେ ଶ୍ରୀମନ୍ଦିରରେ ଆଜି ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି କାଳୀୟଦଳନ ବେଶ ଓ ପହରଦିନ ପ୍ରଳମ୍ୱାଶୁର ବଧ ବେଶ ଓ ତ୍ରୟୋଦଶୀ ତିଥିରେ କୃଷ୍ଣବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: