ହତ୍ୟା ମାମଲା, ଜେଲ ଗଲେ ୨ ଅଭିଯୁକ୍ତ - NILACHALA SAMACHAR
Article Image

ହତ୍ୟା ମାମଲା, ଜେଲ ଗଲେ ୨ ଅଭିଯୁକ୍ତ

🗂 Crime | 🕒 23 Aug 2025, 22:29 IST


ପୁରୀ,  ଗତ ୨୧ ତାରିଖ ରାତ୍ରରେ ଷ୍ଟ୍ରଲିଂ ଛକ ମଙ୍ଗଳା ନଦୀ ମୁହାଣ ନିକଟରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ବଳିଆପଣ୍ଡା ଥାନା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଟାଉନ ଥାନା ଅନ୍ତର୍ଗତ ଦାମୋଦର ରୋଡ ଚକ୍ରକୋଟ ଲେନର ବିଶ୍ୱନାଥ ମହାରଣା ୨୦ ଓ ଧୋବାଖାଲ ବଳିଆପଣ୍ଡା ବସ୍ତିରେ ରହୁଥିବା ଗଞ୍ଜାମ ବେଗୁନିଆପଡା ଥାନା ଅଂଚଳର ଉଲ୍ଲାସ ରାଉତ ୨୦ l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ଏକ ଛୁରୀ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବିଶ୍ୱନାଥ ଓ ଉଲ୍ଲାସ ଓଡି ୧୩ୟୁ ୯୧୭୨ ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ବାସେଳୀସାହି ଥାନା ଅନ୍ତର୍ଗତ ମଣିମହାସୁଆର ବଗିଚା ନିକଟ ଥାନାପତି ଲେନର ରାଜେଶ କୁମାର ଓଝାଙ୍କୁ ନେଇ ଷ୍ଟ୍ରଲିଂ ଛକ ମଙ୍ଗଳାନଦୀ ମୁହାଣ ନିକଟକୁ ଯାଇଥିଲେ l ସେଠାରେ ସମସ୍ତେ ବିୟର ପିଇଥିଲେ l ଟଙ୍କା ଦେଣନେଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା l ବିଶ୍ୱନାଥ ରାଜେଶ ଠାରୁ ନେଇଥିବା ଟଙ୍କା ଦେବାପାଇଁ ରାଜି ହୋଇନଥିଲା l ପରେ ବିଶ୍ୱନାଥ ଉଲ୍ଲାସ ସହଯୋଗରେ ଏକ ଛୁରୀ ସାହାର୍ଯ୍ୟରେ ରାଜେଶର ବେକକୁ କାଟିଦେଇଥିଲା l ଘଟଣା ସ୍ଥଳରେ ରାଜେଶର ମୃତ୍ୟୁ ଘଟିଥିଲା l ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ବଳିଆପଣ୍ଡା ଥାନା ପୁଲିସ ଘଟଣା ସ୍ଥଳରୁ ଶବ ଜବତ କରି ଜିଲ୍ଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲେ l ମଣିମହାସୁଆର ବଗିଚା ନିକଟ ଥାନାପତି ଲେନର ରତ୍ନାକର ଓଝା ବଳିଆପଣ୍ଡା ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନାରେ ୧୪୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ୨ ଅଭିଯୁକ୍ତକୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟକୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: