🗂 Local | 🕒 02 Oct 2025, 13:15 IST
ପୁରୀ ରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ଦୁର୍ଗା ପୂଜାକୁ ଗୋଶାଣୀ ଯାତ୍ରା ଭାବେ ପାଳନ କରାଯାଏ । ଆଉ ଏହି ସମୟରେ ବିଭିନ୍ନ ସାହି ମାନଙ୍କରେ ମା’ଙ୍କର ମୃଣ୍ମୟୀ ଗୋଷାଣୀ ପ୍ରିତିମା ସହ ବିରାଟକାୟ ନାଗା ମୂର୍ତ୍ତି ପୂଜା କରିବାର ପରମ୍ପରା ରହିଛି । ଶହଶହ ବର୍ଷ ଧରି ନାଗା ପୁରୀବାସୀଙ୍କ ପାଇଁ ବିରତ୍ୱର ପ୍ରତୀକ ହୋଇଥିବାରୁ ଶାରଦୀୟ ପୂଜା ଅବସରରେ ନାଗା ମୂର୍ତ୍ତି ପୂଜା କରାଯାଏ । ଶହ ଶହ ବର୍ଷ ହେବ ଶାରଦୀୟ ଦୁର୍ଗାପୂଜା ରେ ବେଶ ଜାକଜକମରେ ନାଗା ମୂର୍ତ୍ତି ପୂଜା କରାଯାଇ ଆସୁଛି । ନାଗା ମୂର୍ତ୍ତି ଗୁଡିକୁ ବାଘଛାଲ, ବନ୍ଧୁକ, ଢ଼ାଲ, ଓରମାଳ, ହାଣ୍ତିଆ ସମେତ ୧୬ ପ୍ରକାର ର ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଭୃତି ଦ୍ୱାରା ସଜ୍ଜିତ କରାଯାଇଥାଏ ।
କିମ୍ୱଦନ୍ତୀ ଅନୁଯାୟୀ, ପୂର୍ବରୁ ରାଜା ଶାସନ ସମୟ ରେ ଶ୍ରୀକ୍ଷେତ୍ର ଏବଂ ଶ୍ରୀମନ୍ଦିରକୁ ନାଗା ସାଧୁ ମାନେ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେଉଥିଲେ। ସେମାନେ ଅତ୍ୟନ୍ତ ବୀର ଥିଲେ । ବିଭିନ୍ନ ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ । ପରବର୍ତ୍ତୀ ସମୟରେ ନାଗା ସାଧୁଙ୍କ ବୀରତ୍ୱକୁ ଦେଖି ସେବାୟତମାନେ ନିଜକୁ ସେଭଳି ପ୍ରସ୍ତୁତ କଲେ । ଜାଗା ଆଖଡା ଘରେ ସେବାୟତ ଯୁବକମାନେ କୁସ୍ତି, ମଲ୍ଲ ଯୁଦ୍ଧ ଶିକ୍ଷା କରି ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଲେ । ତେବେ ନାଗା ସାଧୁଙ୍କ ବୀରତ୍ୱର ଗାଥାକୁ ଲୋକଙ୍କ ମଧ୍ୟରେ ସ୍ମରଣୀୟ ରଖିବା ପାଇଁ ଶହଶହ ବର୍ଷ ହେବ ଦୁର୍ଗାପୂଜା ତଥା ଗୋଶାଣୀ ପୂଜା ସମୟରେ ବିଶାଳ ନାଗା ମୂର୍ତ୍ତି ପୂଜା କରାଯାଉଛି।
ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବାର ପରମ୍ପରା ମଧ୍ୟ ରହିଛି । ଏଣୁ ଶ୍ରୀକ୍ଷେତ୍ର ତଥା ପୁରୀ ସହରର ପୁରାତନ ସାତ ସାହି ବାଲିସାହି, ହରଚଣ୍ତୀ , ମାର୍କଣ୍ତେଶ୍ୱର, ଦୋଳମଣ୍ତପ , ହେରାଗୋହିରୀ, ନରେନ୍ଦ୍ର କୋଣ ଏବଂ ବଳଗଣ୍ତି ଛକ ଅଞ୍ଚଳରେ ବିରାଟକାୟ ନାଗାମୂର୍ତ୍ତି ନିର୍ମାଣ କରାଯାଇ ପୂଜା କରାଯାଏ। ଦେବୀ ଦୁର୍ଗା ଙ୍କ ଭଳି ନାଗା ମୂର୍ତ୍ତି ଙ୍କୁ ମଧ୍ୟ ବନ ଦୁର୍ଗା ମନ୍ତ୍ର ରେ ପୂଜା କରାଯାଏ। ନାଗା ଙ୍କୁ ଶୀତଳ ଭୋଗ ତଥା ବିଭିନ୍ନ ଫଳ ଭୋଗ କରାଯାଏ।
ଭସାଣ ଦିନ ଗୋଷାଣୀ ମୂର୍ତ୍ତି ସହ ନାଗା ମୂର୍ତ୍ତି ଙ୍କୁ ଶ୍ରୀ ମନ୍ଦିର ସିଂହଦ୍ୱାର ନିକଟରେ ଏକତ୍ରିତ କରାଯାଇ ଦେବ ସଭା ଅନୁଷ୍ଠିତ ହୋଇଥାଏ। ମହାଦୀପ ଉଠିବା ପରେ ବିସର୍ଜନ କରାଯାଏ।। ନାଗାମୂର୍ତ୍ତିରେ ୧୬ ପ୍ରକାର ହତିଆର ତଥା
ତାଟି, ଏରାପକ୍ଷୀ, ହାଣ୍ଡିଆ , ଛୁରୀ, ବାଘଛାଲ, ଢାଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯାଇ ପୂଜା କରାଯାଏ । ଶାରଦୀୟ ପୂଜା ଅବସରରେ ନାଗା ମୂର୍ତ୍ତି ନିର୍ମାଣ ଶ୍ରୀକ୍ଷେତ୍ରର ଏକ ନିଆରା ପରମ୍ପରା । ଯାହାକି ଅନ୍ୟ କୌଣସି ସ୍ଥାନରେ ଦେଖାଯାଏନାହିଁ।
ସାହି ଗୁଡ଼ିକରେ ଗୋଷାଣୀ ପୂଜା ସହ ନାଗା ମୁର୍ତ୍ତି ଗୁଡ଼ିକର ଆକର୍ଷଣୀୟ ପୂଜା ଭକ୍ତ ଓ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ ।
ଶ୍ରୀ ମନ୍ଦିର ସେବାୟତ ଶରତ ମହାନ୍ତି ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀକ୍ଷେତ୍ର ରେ ନାଗା କୁ ନଆଗା ବୋଲି କୁହାଯାଏ। ନାଗା ସାଧୁ ମାନେ ବ୍ରହ୍ମଚାର୍ଯ୍ୟ ସହିତ ସଞ୍ଜମି ଜୀବନ ଯାପନ କରିଥାନ୍ତି। ଏମାନେ ସ୍ୱାତିକ ଶାକାହାରୀ ଫଳ ଭୋଜନ କରି ସଂସାର ପ୍ରତି ବୈରାଗ୍ୟ ମନୋଭାବ ରେ ରହିଥାନ୍ତି। ଏଣୁ ସେମାନେ ଯେତେବେଳେ ଉତ୍ୟକ୍ତ ହୋଇଥାନ୍ତି ଅତ୍ୟନ୍ତ ଭୟଙ୍କର ହୋଇଥାନ୍ତି। ନାଗା ସାଧୁ ମାନେ ଶ୍ରୀକ୍ଷେତ୍ର କୁ ଆସି ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କୁ ତାଙ୍କର ସର୍ବସ୍ଵ ବୋଲି ନିଜ କୁ ମହାପ୍ରଭୁ ଙ୍କ ନିକଟ ରେ ସମର୍ପିତ କରିଥିଲେ। ଯେତେବେଳେ ମୋଗଲ ଶାସକ ତଥା ବିଧର୍ମୀ ମାନେ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏହି ନାଗା ସାଧୁ ମାନେ ଲଢେଇ କରି ଶତ୍ରୁ ଙ୍କୁ ପରାସ୍ତ କରି ଶ୍ରୀ ମନ୍ଦିର ର ସୁରକ୍ଷା କରିଥିଲେ। ନାଗା ସାଧୁ ଙ୍କୁ ଶତ୍ରୁ ମାନେ ଭୟ କରୁଥିଲେ। ଏଣୁ ନାଗା ସାଧୁ ଙ୍କୁ ସମାଜ ସ୍ମରଣୀୟ ରଖିବା ତଥା ତାଙ୍କ ବିରତ୍ଵ ଗାଥା କୁ ନେଇ ଯୁବ ପିଢ଼ି ଅନୁକରଣ କରିବା ପାଇଁ ତତ୍କାଳୀନ ଗଜପତି ମହାରାଜା ଙ୍କ ଦ୍ଵାରା ଶ୍ରୀକ୍ଷେତ୍ର ରେ ବିରତ୍ୱ ର ପ୍ରତୀକ ଭାବେ ନାଗା ମୂର୍ତ୍ତି ପୂଜା ପାଉଛି। ଶାରଦୀୟ ଦୁର୍ଗାପୂଜା ରେ ନାଗା ଙ୍କୁ ଶକ୍ତି ର ପ୍ରତୀକ ଭାବେ ଏଠାରେ ପୂଜା କରାଯାଏ। ତେବେ ଶ୍ରୀକ୍ଷେତ୍ର କୁ ଛାଡି ଦେଲେ ନାଗା ମୂର୍ତ୍ତି ପୂଜା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ।
ବାଲିସାହି ହିଞ୍ଜଳ ଜାଗା ନାଗା ସମ୍ପାଦକ ଜିତେନ୍ଦ୍ର ମୁଦୁଲି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀକ୍ଷେତ୍ର ରେ ଯାହା ପର୍ବ ପର୍ବାଣୀ ପାଳନ ହୁଏ ତାହା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପରମ୍ପରା ଓ ବିଧି ଅନୁଯାୟୀ ହୁଏ। ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା ରେ ଦେବୀ ଙ୍କୁ ତଥା ନାରୀ ଶକ୍ତି ଙ୍କୁ ପୂଜା କରାଯାଏ । ହେଲେ ଶ୍ରୀକ୍ଷେତ୍ର ର ପରମ୍ପରା ନିଆରା। ଏଠାରେ ଦେବୀ ତଥା ନାରୀ ଶକ୍ତି ଙ୍କ ଉପାସନା ସହିତ ବିରତ୍ବ ର ପ୍ରତୀକ ଭାବେ ନାଗା ମୂର୍ତ୍ତି କୁ ପୂଜା କରାଯାଏ। ଏଭଳି ପରମ୍ପରା ଅନ୍ୟ କୌଣସି ସ୍ଥାନରେ ନାହିଁ। ନାଗା ମୂର୍ତ୍ତି କୁ ବନ ଦୁର୍ଗା ମନ୍ତ୍ର ରେ ପୂଜା କରାଯାଏ। ବାଲି ସାହିରେ ପୂଜା ପାଉଥିବା ନାଗା ମୂର୍ତ୍ତି ହେଉଚି ପୁରୀ ସହର ପ୍ରଥମ ନାଗା ମୂର୍ତ୍ତି। ପରବର୍ତ୍ତୀ ସମୟ ରେ ଶ୍ରୀ ମନ୍ଦିର ଚାରିପାଖ ରେ ୭ ସାହି ର ଯୁବକ ମାନେ ନିଜ ନିଜ ସାହିରେ ବିଶାଳ ନାଗାସ ମୂର୍ତ୍ତି ପୂଜା କରୁଛନ୍ତି। ଦେବୀ ଦୁର୍ଗା ଙ୍କ ପୂଜା ଭଳି ନାଗା ଙ୍କୁ ମଧ୍ୟ ବନ ଦୁର୍ଗା ମନ୍ତ୍ର ରେ ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ରେ ପୂଜା କରାଯାଏ। ଏକାଦଶୀ ରେ ବିସର୍ଜନ କରାଯାଇଥାଏ।
No comments yet.