🗂 Art & Culture | 🕒 08 May 2025, 14:11 IST
ପୁରୀ, : ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରୁ ସହରର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ସେଥିଲାଗି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଜାରି ରହିଥିବା ନେଇ ଏସ୍ପି ବିନୀତ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ଅଗ୍ରୱାଲ କହିଛନ୍ତି, ବିଶେଷ ଭାବେ ଦେବସ୍ନାନ ପୂର୍ଣ୍ଣିମା ଲାଗି ଦୋଳବେଦି କୋଣ ଓ ମାର୍କେଟ ଛକରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ନିମନ୍ତେ ସହଯୋଗ କେନ୍ଦ୍ର ଖୋଲାଯିବ । ସେଠାରେ ସେମାନେ ସୁରକ୍ଷିତ ବସିବେ । ସେଠାରୁ ସେମାନଙ୍କୁ ପୁଲିସ ସହାୟତାରେ ନିଆଯାଇ ଠାକୁରଙ୍କୁ ଦର୍ଶନ ବ୍ୟବସ୍ଥା କରାଯିବ । ସେହିଭଳି ଟାଉନଥାନା ସମ୍ମୁଖ ଓ ମରିଚିକୋଟ ଛକଠାରେ ଦୁଇଟି ଛାୟା ସେଡ୍ ନିର୍ମାଣ କରାଯିବ । ସେଥିରେ ସେମାନେ ବିଶ୍ରାମ ନେବେ । ସେମାନଙ୍କ ନିମନ୍ତେ ହୁଇଲ ଚେୟାର ସହ ସହାୟକ ଦଳ ନିୟୋଜିତ ରହିବେ ।
ବର୍ତ୍ତମାନ ଚନ୍ଦନଯାତ୍ରା ଜାରି ରହିଥିବା ବେଳେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ଚେୟାର ବ୍ୟବସ୍ଥା କରାଯିବ । ସେମାନେ ସେଠାରେ ସୁରକ୍ଷିତ ଭାବେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିପାରିବେ । ବରିଷ୍ଠ ନାଗରିକମାନେ ନଂ-୬୩୭୦୯୭୨୧୦୦ରେ ଯୋଗାଯୋଗ କରିପାରିବେ । ଏହି ନମ୍ବରରେ କିଛି ଅସୁବିଧା ହେଲେ ନୋଡାଲ ଅଫିସର ଡିଏସ୍ପି ତାରା ଜାସ୍ମିନ୍ ଗୁରିଆଙ୍କୁ ଯୋଗାଯୋଗ ନଂ-୯୪୩୭୩୯୦୦୯୬ରେ ପରାମର୍ଶ ନେଇପାରିବେ । ବରିଷ୍ଠ ନାଗରିକ ଏହି ନମ୍ବରକୁ ଯୋଗାଯୋଗ କରିଲେ ସେମାନଙ୍କ ନିକଟରେ ପୁଲିସର ସ୍ୱତନ୍ତ୍ର ଟିମ୍ ପହଞ୍ଚି ସହାୟତା କରିବ ବୋଲି ଏସ୍ପି ସ୍ପଷ୍ଟ କରିଛନ୍ତି ।
No comments yet.