🗂 Local | 🕒 20 Dec 2025, 13:49 IST
ପୁରୀ: ୨୦/୧୨ ଖ୍ରୀଷ୍ଟମାସ ଓ ଇଂରାଜୀ ନବବର୍ଷ ୨୦୨୬ ପାଇଁ ପୁରୀ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାକାବନ୍ଦୀ ସହ ଯାନବାହନ ଯାଞ୍ଚ କରାଯାଉଛି । ନୂଆବର୍ଷ ଅବସରରେ ପୁରୀକୁ ବହୁ ସଂଖ୍ୟକ ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ଆଗମନ ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ସାର୍ବଜନିକ ସୁରକ୍ଷା, ଆଇନ ଓ ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ ଓ ଅପ୍ରୀତିକର ଘଟଣା ପ୍ରତିରୋଧ ପାଇଁ ପୁରୀ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ସମୟରେ ପୁରୀ ସହର ସହିତ ସମସ୍ତ ଥାନା ଅଞ୍ଚଳ, ପର୍ଯ୍ୟଟନସ୍ଥଳ, ସମୁଦ୍ରତଟ, ଭିଡ଼ ହେବାର ସମ୍ଭାବନା ଥିବା ସ୍ଥାନ, ହୋଟେଲ, ଲଜ୍, ଧର୍ମଶାଳା, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଓ ମୁଖ୍ୟ ସଡ଼କ ମାର୍ଗରେ ବିଶେଷ ପୋଲିସ୍ ବ୍ୟବସ୍ଥା ମୁତୟନ କରାଯାଇଛି । ପୁରୀ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ଜଗନ୍ନାଥ ମନ୍ଦିର, ସମୁଦ୍ର କୂଳ, ସାତପଡ଼ା, କୋଣାର୍କ, ରାମଚଣ୍ଡୀ ମନ୍ଦିର, ବଲିହାରୀଚଣ୍ଡୀ ମନ୍ଦିର, ବିଶ୍ଵନାଥ ମୁଣ୍ଡିଆ, ରଘୁରାଜପୁର, ଜାହାନିଆ ପୀର ଓ ଅନ୍ୟ ସ୍ଥାନ, ପ୍ରବେଶ ଓ ପ୍ରସ୍ଥାନ ପଥ, ସୀମାଞ୍ଚଳ ଅଞ୍ଚଳ, ସମୁଦ୍ରତଟ ନିକଟ ଏବଂ ସହରର ମୁଖ୍ୟ ଛକ ଗୁଡ଼ିକରେ ନିୟମିତ ଓ ଆକସ୍ମିକ ନାକାବନ୍ଦୀ କରାଯାଉଛି । " ସମସ୍ତ ପ୍ରକାର ଯାନବାହନ ଯାଞ୍ଚ, ଡକ୍ୟୁମେଣ୍ଟ ଭେରିଫିକେସନ୍, ହେଲମେଟ୍, ସିଟ୍ବେଲ୍ଟ, ମଦ୍ୟପାନ କରି ଗାଡ଼ି ଚାଳନା ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡା ନଜର ରଖାଯାଉଛି " ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ ।
ସହର ଓ ଗ୍ରାମାଞ୍ଚଳରେ ଫୁଟ୍ ପାଟ୍ରୋଲିଂ, ମୋବାଇଲ୍ ପାଟ୍ରୋଲିଂ ଓ ନାଇଟ୍ ପାଟ୍ରୋଲିଂ ବଢ଼ାଯାଇଛି । ସନ୍ଦେହଜନକ ବ୍ୟକ୍ତି ଓ ଗତିବିଧି ଉପରେ କଡା ନଜର ରଖାଯାଉଛି । CCTV କ୍ୟାମେରା ଓ ଅନ୍ୟାନ୍ୟ ପ୍ରଯୁକ୍ତିଗତ ସାଧନ ମାଧ୍ୟମରେ ସ୍ଥାୟୀ ଓ ଚଳନ୍ତା ନିରୀକ୍ଷଣ କରାଯାଉଛି । ସୁରକ୍ଷା ଯାଞ୍ଚ ସମୟରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପୁରୀ ଏସ୍ପି ପ୍ରତୀକ ସିଂ ସମସ୍ତ ନାଗରିକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆହ୍ୱାନ କରିଛନ୍ତି ।
ଆବଶ୍ୟକ ଡକ୍ୟୁମେଣ୍ଟ ସହ ଯାତ୍ରା କରନ୍ତୁ ଓ ଟ୍ରାଫିକ୍ ନିୟମ ମାନିବାକୁ ଏସପି ପରାମର୍ଶ ଦେଇଛନ୍ତି । କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ବ୍ୟକ୍ତି ବିଷୟରେ ତତ୍କ୍ଷଣାତ୍ ନିକଟସ୍ଥ ପୋଲିସ ଥାନା କିମ୍ବା ୧୧୨କୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ପୁରୀ ପୋଲିସ ସମସ୍ତଙ୍କ ସହଯୋଗରେ ଏହି ଉତ୍ସବ ଋତୁକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁଖଦ କରିବା ପାଇଁ ପ୍ରତିବଦ୍ଧ ବୋଲି ପୁରୀ ପୋଲିସ୍ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ ଜାରି କରାଯାଇଛି ।
No comments yet.