ଅବୈଧ ବାଲି ଓ ପଥର ଚାଲାଣ ବିରୋଧରେ ମାମଲା, ୫୨ ଦିନରେ ୫୯ ଜଣ ଗିରଫ, ୮୯ଟି ଗାଡି ବିରୋଧରେ କାର୍ଯ୍ୟାନୁଷ୍ଠାନ - NILACHALA SAMACHAR
Article Image

ଅବୈଧ ବାଲି ଓ ପଥର ଚାଲାଣ ବିରୋଧରେ ମାମଲା, ୫୨ ଦିନରେ ୫୯ ଜଣ ଗିରଫ, ୮୯ଟି ଗାଡି ବିରୋଧରେ କାର୍ଯ୍ୟାନୁଷ୍ଠାନ

🗂 Crime | 🕒 23 Feb 2026, 10:20 IST


ପୁରୀ, ୨୨/୨ : ଜିଲ୍ଲାରେ ଅବୈଧ ବାଲି ଓ ପଥର ଖନନ, ପରିବହନ ଏବଂ ଅନଧିକୃତ ବ୍ୟବସାୟକୁ ରୋକିବା ପାଇଁ ପୁରୀ ପୋଲିସ ଦ୍ୱାରା ୨୦୨୬ ମସିହାର ଆରମ୍ଭରୁ ଏପର୍ଯ୍ୟନ୍ତ ନିୟମିତ, ସଂଗଠିତ ଓ କଠୋର ଭାବରେ ବିଶେଷ ଅଭିଯାନ ଚାଲିଆସୁଛି। ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ସରକାରୀ ରାଜସ୍ୱର ସୁରକ୍ଷା, ନଦୀ ପଥ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ସାଧାରଣ ଲୋକଙ୍କ ଜୀବନ-ଜୀବିକାକୁ ସୁରକ୍ଷିତ ରଖିବା। ଗତ ୫୨ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅବୈଧ ବାଲି ଓ ପଥର ଖନନ ଏବଂ ଚାଲାଣ ସମ୍ପର୍କିତ ମୋଟ ୬୩ଟି ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ମାମଲାର ତଦନ୍ତ କରାଯାଇ ମୋଟ ୫୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯାନ ସମୟରେ ଅବୈଧ ଭାବେ ବାଲି, ମାଟି ଓ ପଥର ପରିବହନରେ ବ୍ୟବହୃତ ୭୩ଟି ମାଲବାହୀ ଯାନବାହନ ଓ ୨ଟି ଜେସିବି ମେସିନ୍ ଜବତ କରାଯାଇଛି। ଏହା ସହିତ ୧୪ଟି ଯାନବାହନକୁ ମାଇନିଂ ବିଭାଗଙ୍କୁ ହସ୍ତାନ୍ତର କରାଯାଇଛି। ପୂର୍ବବର୍ଷରେ ମୋଟ ୧୪୬ଟି ଅବୈଧ ଖଣନ ସମ୍ପର୍କିତ ମାମଲା ରେଜିଷ୍ଟ୍ର ହୋଇଥିବାବେଳେ ଚଳିତ ବର୍ଷରେ ଆରମ୍ଭରୁ ଏହି ଅଭିଯାନ ଆହୁରି ଜୋରଦାର କରାଯାଇଛି। ଏହି ବିଶେଷ ଅଭିଯାନକୁ ଜିଲ୍ଲାର ସମସ୍ତ ୪ଟି ସବ୍-ଡିଭିଜନ୍‌ରେ ସମନ୍ୱିତ ଭାବରେ କାର୍ଯ୍ୟକରୀ କରାଯାଇଛି l ଯଥା ସିଟି ସବ୍-ଡିଭିଜନ୍, ପିପିଲି ସବ୍-ଡିଭିଜନ୍, ନିମାପଡ଼ା ସବ୍-ଡିଭିଜନ୍ ଓ ସଦର ସବ୍-ଡିଭିଜନ୍। ପ୍ରତ୍ୟେକ ସବ୍-ଡିଭିଜନ୍‌ର ଥାନାମାନଙ୍କୁ ସକ୍ରିୟ କରାଯାଇ ଦିନ ଓ ରାତ୍ରି ପାଟ୍ରୋଲିଂ, ନାକା ଚେକିଂ, ଆକସ୍ମିକ ରେଡ୍ ଓ ସ୍ପେଶାଲ୍ ଡ୍ରାଇଭ୍ ମାଧ୍ୟମରେ ଅବୈଧ ଖଣନ ଓ ପରିବହନକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି।

ଅନଧିକୃତ ଭାବେ ବାଲି ଓ ପଥର ପରିବହନ କରୁଥିବା ଯାନବାହନ ଜବତ ସହ ଖନନ କାର୍ଯ୍ୟରେ ବ୍ୟବହୃତ ମେସିନ୍, ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ସିଜ୍ କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଆଇନଗତ ପଦକ୍ଷେପ ଗ୍ରହଣ ହେଉଛି। ଅବୈଧ ବାଲି ଓ ପଥର ଖନନ ପରିବେଶ ପାଇଁ ଗୁରୁତର ହାନିକାରକ ହେବା ସହ ନଦୀ ପଥର ପରିବର୍ତ୍ତନ, ଭୂଗର୍ଭ ଜଳସ୍ତର କମିବା ଓ ପ୍ରାକୃତିକ ସମତାକୁ ବିଘ୍ନିତ କରୁଛି। ସେହିପରି ଏହି ପ୍ରକାର ଅପରାଧ ପ୍ରତି କୌଣସି ପ୍ରକାର ସୁଯଗ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: