🗂 Crime | 🕒 27 Feb 2026, 21:45 IST
ପୁରୀ, ୨୭/୨ : ବୋମା ପକାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ସିଦ୍ଧାମହାବୀର ଅଟାକଳ ଲେନର ବିଶାଳ ଓରଫ ଓମ ଓରଫ ବିଷ୍ଣୁ ପାତ୍ର ୨୨, ବଳିଆପଣ୍ଡା ବିଜୟ ନଗରର ପିଣ୍ଟୁ ଓରଫ ସମୀର ସାମନ୍ତରାୟ ୩୩, ଟିମା ଓରଫ ସଞ୍ଜୟ ସରକାର ୨୪ ଓ ଡେଲାଙ୍ଗ ଥାନା ଗଡ଼କାଳୁପଡାର ପ୍ରିୟବ୍ରତ ଜେନା ୨୯ l ପୁଲିସ ସୂତ୍ରରୁ ପ୍ରକାଶ ଯେ ଗୌଡ଼ବାଡ଼ ସାହି ବିର୍ଲାଛକ ନିକଟର ଶିବୁନା ପଲେଇ ୩୬ ଗତ ୧୦ ତାରିଖ ରାତ୍ରରେ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ସାଙ୍ଗଙ୍କ ସହ ବଳିଆପଣ୍ଡା ଲୋକନାଥ ରୋଡ ଠାରେ ଠିଆ ହୋଇଥିବା ବେଳେ ଦୁଇଜଣ ଅଚିହ୍ନା ବ୍ୟକ୍ତି ଏକ ସ୍କୁଟିରେ ଆସିଥିଲେ l ଜୀବନରୁ ମାରିଦେବା ଉଦେଶ୍ୟରେ ତାଙ୍କ ଉପରକୁ ୩ଟି ବୋମା ମାଡ କରିଥିଲେ l ଏଥିରେ ଶିବୁନା ଅଳ୍ପକେ ବର୍ତ୍ତି ଯାଇଥିଲେ l ଥାନାରେ ଅଭିଯୋଗ ପରେ ୩୫/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁ ପାତ୍ର ଓ ତାଙ୍କର ଅନ୍ୟ ସହଯୋଗୀଙ୍କୁ ଗିରଫ କରାଯାଇଥିଲା l ସମସ୍ତ ଅଭିଯୁକ୍ତ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.