🗂 Crime | 🕒 02 Mar 2026, 20:07 IST
ପୁରୀ, ୨/୩ : ବାଲିସାହି ରୋଡ ସୋଲାଖିଆ ବରଗଛ ଠାରେ ସ୍ଥାନୀୟ ଦୋକାନୀ ଓ ପଥଚାରୀଙ୍କ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତର ପରିଚୟ ଏହି ଥାନା ଅନ୍ତର୍ଗତ ଗୁଡ଼ିଆସାହିର ନୃସିଂହ ସୁବୁଦ୍ଧି ୪୩ l ଅଭିଯୁକ୍ତ ନିକଟରୁ ପୁଲିସ ଏକ ଦେଶୀ ପିସ୍ତଲ, ଓଡି ୧୩କ୍ୟୁ ୮୦୪୪ ନମ୍ବର ବିଶିଷ୍ଟ ସ୍କୁଟି, ୧୭, ୪୦୦ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି l ଏହି ଘଟଣା ନେଇ ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ସାମ୍ବାଦିକ ସମ୍ମିଳନୀରେ ସିଟି ଡ଼ିଏସପି ରଶ୍ମିରଂଜନ ମହାପାତ୍ର ଓ ଆଇଆଇସି ଗୋକୁଳ ରଞ୍ଜନ ଦାସ ଗଣମାଧ୍ୟମଙ୍କୁ ସୂଚନା ଦେଇଥିଲେ l ଅଭିଯୁକ୍ତ ନୃସିଂହ ସୁବୁଦ୍ଧି ଗତ ରବିବାର ରାତ୍ରରେ ସୋଲାଖିଆ ବରଗଛ ଠାରେ ଦୋକାନୀ ଓ ପଥଚାରୀଙ୍କ ନିକଟରୁ ଦାଦାବଟି ଆଦାୟ କରୁଥିଲା l ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଥାନା ପୁଲିସର ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ଥାନା ଏସଆଇ ଅମୀୟ ରଞ୍ଜନ ମହାପାତ୍ରଙ୍କ ଅଭିଯୋଗ କ୍ରମେ ୧୪୩/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ପରେ ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.