🗂 Local | 🕒 08 Mar 2026, 13:44 IST
ପୁରୀ ୮/୩ : ଜଗା ଦର୍ଶନ ପାଇଁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଚାଲିଗଲା ଭକ୍ତଙ୍କ ପ୍ରାଣ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଭକ୍ତ ଜଣଙ୍କ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଭକ୍ତ ଜଣକ ହେଉଛନ୍ତି ଆନନ୍ଦ କାଶ୍ୟପ । ସେ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଗତକାଲି (ଶନିବାର) ଅପରାହ୍ନ ସମୟରେ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ଆନନ୍ଦ କାଶ୍ୟପ, ନିଜ ପରିବାର ସହ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ଶ୍ରୀମନ୍ଦିରର ସାତ ପାହାଚ ନିକଟରେ ଛିଡ଼ା ହୋଇ ଦର୍ଶନ କରିବାକୁ ଯାଉଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ । ପରେ ହଠାତ୍ ଅଚେତ ହୋଇପଡ଼ିଥିଲେ । ପରିବାର ସଦସ୍ୟମାନେ ତାଙ୍କୁ ତୁରନ୍ତ ମନ୍ଦିର ପରିସର ବାହାରକୁ ନେଇଥିଲେ । ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ଅଧିକାରୀଙ୍କ ସହାୟତାରେ ତାଙ୍କୁ ଆମ୍ବ୍ୟୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍ଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତଦେହକୁ ଆନନ୍ଦଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
No comments yet.