🗂 Crime | 🕒 26 Mar 2026, 00:23 IST
ପୁରୀ ୨୬/୩ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଆଜି ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ । ଶ୍ରୀମନ୍ଦିରର ବାନା ପରିବର୍ତ୍ତନ ବେଳେ ଏହାକୁ ଦୁଇଟି ଡ୍ରୋନ ଭିଡିଓ ସୁଟ୍ କରୁଥିବା ନଜରକୁ ଆସିଛି । ସନ୍ଧ୍ୟା ୫ଟା ୨୫ ମିନିଟରୁ ଦୀର୍ଘ ୩୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଥିଲା ୨ଟି ଡ୍ରୋନ୍ । ତେବେ ଏହାକୁ ନେଇ ଭକ୍ତମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଡ୍ରୋଉ ଉଡାଇ ଥିବା ଦୁଇ ଜଣଙ୍କୁ ଅଟକ ରଖିଛି ପୁରୀ ପୋଲିସ । ଶ୍ରୀମନ୍ଦିର ଭଳି ଏକ ହାଇ ସିକ୍ୟୁରିଟି ଜୋନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଡ୍ରୋନ ଉଡ଼ିବା ଅତ୍ୟନ୍ତ ବିପଦଜନକ ବୋଲି ଭକ୍ତ ଅଭିଯୋଗ କରିଛନ୍ତି । ଜଣେ ଶ୍ରଦ୍ଧାଳୁ ପରମା ବୋଷ କହିଛନ୍ତି, "ଶ୍ରୀମନ୍ଦିର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳରେ ୨ଟି ଡ୍ରୋନ ଉଡ଼ିବା ସୁରକ୍ଷା ଦୃଷ୍ଟି କୋଣରୁ ଠିକ୍ ନୁହେଁ । ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଛନ୍ତି । ଯଦି ଡ୍ରୋନରେ କେହି ବିସ୍ଫୋରକ ସାମଗ୍ରୀ ଆଣି ଆକ୍ରମଣ କରେ ତେବେ ବହୁତ କ୍ଷତି ଘଟିବ । ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ନେଉ । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ବନ୍ଦ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେଉ ।" ସେପଟେ ପୁରୀ ପୋଲିସ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ତଦନ୍ତ କରାଯାଉଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଣ୍ଟି ଡ୍ରୋନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରିନାହାନ୍ତି । ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
No comments yet.